‘ଟୁ ଷ୍ଟେଟ’ ଥିଓରି ଉପରେ ପୁଣି ଜୋର ଦେଲେ ମୋଦି । ଇସ୍ରାଏଲ ରାଷ୍ଟ୍ରପତିଙ୍କୁ କହିଲେ ଏମିତି କଥା

73

 

ସମସ୍ତେ ଜାଣିଛନ୍ତି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଅହିନକୁଳ ସମ୍ପର୍କ । ସୀମା ବିବାଦକୁ ନେଇ ବର୍ଷ ବର୍ଷ ଧରି ଯୁଦ୍ଧ ଲାଗିରହିଛି ।  ଦୁଇ ପକ୍ଷରୁ ହଜାର ହଜାର ଲୋକ ମୃତ୍ଯୁବରଣ କରିଛନ୍ତି । ଗତ ଅକ୍ଟୋବର ମାସରୁ ଆରମ୍ଭ ହେଇଥିବା ଯୁଦ୍ଧ ଏ ପାର୍ଜୟତଂ ଥମିବାର ନାଁ ନେଉନାହିଁ ।

ଯୁଦ୍ଧବିରତି ନେଇ ଅନେକ ଆଲୋଚନା ଚାଲିଛି । କିଛି ଫଳପ୍ରଦ ହେଉନାହିଁ । ଏହି ସମୟରେ ଦୁବାଇରେ ଚାଲିଥିବା ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ COP28 ପାଇଁ ସଂଯୁକ୍ତ ଆରବ ଏମିରେଟ୍ସରେ ଦୁବାଇରେ ପହଞ୍ଚିଛନ୍ତି ।  ଜଳବାୟୁ ଉପରେ ବିଶ୍ୱସ୍ତରୀୟ ନେତାଙ୍କ ସହ ଏଠାରେ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ । ଏହା ବ୍ୟତୀତ ସେ ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗଙ୍କୁ ଭେଟିଥିଲେ। ସେ ‘ଟୁ ଷ୍ଟେଟ’ ଥିଓରି ଉପରେ ଆଗକୁ ବଢିବା ପାଇଁ ତାଙ୍କୁ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ରାଷ୍ଟ୍ରପତିଙ୍କୁ ଦୁବାଇରେ ଅନୁଷ୍ଠିତ ସମ୍ମିଳନୀ COP28 ସମ୍ମିଳନୀରେ ଭେଟିଛନ୍ତି । ହାମାସ ସହିତ ଯୁଦ୍ଧ ପରେ ପ୍ରଥମ ଥର ପାଇଁ  ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗଙ୍କୁ ଭେଟିଥିଲେ। ଜଳବାୟୁ ପରିବର୍ତ୍ତନ ଉପରେ ଆୟୋଜିତ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଦୁବାଇରେ ପହଞ୍ଚିଥିଲେ। ସେ ଏହି ବୈଠକରେ ଟୁ ଷ୍ଟେଟ ଥିଓରି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଅସ୍ତ୍ରବିରତି ଉଲ୍ଲଂଘନ ବିଷୟରେ ଉଲ୍ଲେଖ କରିନାହାଁନ୍ତି କିନ୍ତୁ ଗାଜାକୁ ନିରନ୍ତର ମାନବିକ ସହାୟତା ପଠାଇବାକୁ ନିବେଦନ କରିଛନ୍ତି ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଅକ୍ଟୋବର ୭ ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ୍ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରି ଦୁଃଖପ୍ରକାଶ କରିଛନ୍ତି । ହମାସ ଦ୍ୱାରା ବନ୍ଧକ ମୁକ୍ତ ହେବା ଭଳି ପଦକ୍ଷେପକୁ ମଧ୍ୟ ସ୍ୱାଗତ କରିଛନ୍ତି ।  ତେବେ ବନ୍ଧକମାନଙ୍କର ମୁକ୍ତି ପ୍ରକ୍ରିୟା ବର୍ତ୍ତମାନ ବନ୍ଦ ହୋଇଯାଇଛି । ଅସ୍ତ୍ରବିରତି ଶେଷ ହେବା ପରଠାରୁ ଇସ୍ରାଏଲ ପୁଣିଥରେ ଗାଜା ଉପରେ ଆକ୍ରମଣ ଜାରିରଖିଛି ।  ଯେଉଁଥିରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ଇତି ମଧ୍ୟରେ ହଜାର ହଜାର ଶିଶୁଙ୍କ ସମେତ ମୋଟ ୧୫,୦୦୦ ରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି ।