ସରକାରୀ ବଙ୍ଗଳାରେ ରହିବା ସମୟରେ ଭଙ୍ଗାଯାଇଥିବା ସମସ୍ତ ସାମଗ୍ରୀର ଟଙ୍କା ଅଖିଳେଶଙ୍କ ଠାରୁ ଆଦାୟ କରିବ ଯୋଗୀ ସରକାର !

40

କନକ ବ୍ୟୁରୋ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଯେଉଁ ସରକାରୀ ବଙ୍ଗଳାରେ ରହୁଥିଲେ ତାହାର ଏବେ ଯୋଗୀ ସରକାର ଯାଞ୍ଚ କରୁଥିବା ଜଣାପଡିଛି । ତେବେ ରାଜ୍ୟ ନିର୍ମାଣ ବିଭାଗ ଏହାକୁ ଯାଞ୍ଚ କରୁଥିବା ଜଣାପଡିଛି । ତେବେ ଏଠାରେ କେଉଁ ଭଳି ସ୍ଥିତି ରହିଛି ଯାହାକି ତାଙ୍କୁ ମିଳିଥିବା ସମୟରେ ଥିଲା କି ନାହିଁ ତାହାକୁ ଭଲଭାବରେ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ସମସ୍ତ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦ୍ଦେଶ ରହିଛି । ୨୬୬ ପୃଷ୍ଠା ଏହି ରିପୋର୍ଟରେ ଅଖିଳେଶଙ୍କ ସରକାରୀ ବଙ୍ଗଳା ଯାହାକି ବିକ୍ରମାଦିତ୍ୟ-୪ ମାର୍ଗରେ ରହିଛି ସେଥିରେ ଅଖିଳେଶ କିଛି ଭାଙ୍ଗିଥିବାର ସୂଚନା ମିଳିଛି । ତେଣୁ ସରକାର ଏହି ଘର ଉପରେ ସଠିକ ଭାବରେ ତନଖି କରିବା ଲାଗି ନିର୍ମାଣ ବିଭାଗର ଇଞ୍ଜିନିୟରଙ୍କୁ ଦାୟିତ୍ୱ ଦେଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଭଙ୍ଗାରୁଜା ହୋଇଥିବା ଜଣାପଡିଛି ।

 

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶପରେ ରାଜ୍ୟର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ସରକାରୀ ବଙ୍ଗଳା ଖାଲି କରାଯାଉଛି । ତେବେ ଅଖିଳେଶ ନିଜ ସରକାରୀ ବଙ୍ଗଳାର ଚାବି ୭ ଜୁନରୁ ହିଁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ରାଜ୍ୟ ସରକାରଙ୍କୁ ଚାବି ମିଳିବା ପରେ ୪ ବିକ୍ରମାଦିତ୍ୟ ବଙ୍ଗଳାରେ ସରକାରୀ ଇଂଜିନିୟର ମାନେ ଆକଳନ କରିଛନ୍ତି ଯେ, କେତେକ ସ୍ଥାନରେ ଚଟାଣର ଟାଇଲ ସହ ଅନ୍ୟ କେତେକ ସାମଗ୍ରୀ ମିଳିନାହିଁ । ତେଣୁ ତାହା କେଉଁ ଆଡେ ଗଲା ତାହର ଉତ୍ତର ରାଜ୍ୟ ସରକାର ଅଖିଳେଶଙ୍କୁ ମାଗିଛନ୍ତି । ତେବେ ରାଜ୍ୟରେ ଏହାକୁ ନେଇ ଏକ ବଡ ରାଜନୈତିକ ହଟ୍ଟଚମଟ ସୃଷ୍ଟି ହୋଇଛି । ତେବେ ରାଜ୍ୟ ସରକାର ନିର୍ମାଣ ବିଭାଗର ଏକ କମିଟି ଗଠନ କରି ସମସ୍ତ ସରକାରୀ ବଙ୍ଗଳା ଉପରେ ଏକ ତଦନ୍ତ କରି ରିପୋର୍ଟ ଦେବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । କମିଟି ବୁଧବାର ଦିନ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିବା ଜଣାପଡିଛି । ରିପୋର୍ଟରେ ସମ୍ପୂର୍ଣ୍ଣ ଭାବରେ କେଉଁ କେଉଁ ଜିନିଷ ସରକାରୀ ଭବନରେ ନାହିଁ ତାହାର ଉଲ୍ଲେଖ କରାଯାଇଛି । ବର୍ତ୍ତମାନ ସମୟରେ ସରକାର ଏହି ରିପୋର୍ଟର ତର୍ଜମା କରୁଛି । ତେବେ ତର୍ଜମା ପରେ କାହାକୁ କେତେ ଟଙ୍କା ଜୋରିମାନା କରାଯିବ ତାହା ନେଇ ସରକାର ସୂଚନା ଦେବେ ବୋଲି ଜଣାପଡିଛି । ତେବେ ଏହି ସରକାରୀ ବଙ୍ଗଳାକୁ ନେଇ ଉତ୍ତରପ୍ରଦେଶ ରାଜନୀତି ସରଗରମ ହୋଇଛି ।