ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ: ଟ୍ରେନର ଉଦାହରଣ ଦେଇ ଡବଲ ଇଞ୍ଜିନ୍ ସରକାର ପାଇଁ କଲେ ଆହ୍ୱାନ

134

କନକ ବ୍ୟୁରୋ: ପୁରୀରୁ କୋଲକାତାର ହାୱଡା ଅଭିମୁଖେ ବନ୍ଦେ ଭାରତ ଟ୍ରେନ୍ ଗଡିବା ସହ କେନ୍ଦ୍ରମନ୍ତ୍ରୀଙ୍କ ମନରେ ବଢିଥିଲା ଉତ୍ସାହ । କିଛିଦିନ ହେଲା ରାଜ୍ୟ ସରକାରଙ୍କ ଉପରେ ବେଶ ଆକ୍ରମଣାତ୍ମକ ହୋଇପଡିଥିବା ଧର୍ମେନ୍ଦ୍ର ପ୍ରଧାନ, ଏହି ଅବସରରେ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଉଦଘାଟନ ଉତ୍ସବକୁ ସମ୍ବୋଧନ କରି ଧର୍ମେନ୍ଦ୍ର କହିଛନ୍ତି- ବନ୍ଦେ ଭାରତ ଟ୍ରେନରେ ୨ଟି ଇଞ୍ଜିନ ରହିଛି । ଗୋଟିଏ ଆଗରୁ ଟାଣୁଥିବାବେଳେ ଆଉଗୋଟିଏ ପଛରୁ ଗତି ଦେଉଛି । ଏକଥା କହିଲେ କାହାକୁ ବାଧୁଛି । ହେଲେ ବନ୍ଦେ ଭାରତ ଟ୍ରେନ୍ ବି ତ ୨ଟି ଇଞ୍ଜିନରେ ଚାଲୁଛି । ବନ୍ଦେ ଉକ୍ରଳ ଜନନୀ ବି ଚାଲୁଛି, ବନ୍ଦେ ମାତରମ୍ ବି ଚାଲୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଜେପିର ଶୀର୍ଷ ନେତା ବାରମ୍ବାର ଡବଲ ଇଞ୍ଜିନର କଥା କହିଆସୁଛନ୍ତି । ଅର୍ଥାତ କେନ୍ଦ୍ରରେ ଯେଉଁ ଦଳର ସରକାର, ରାଜ୍ୟରେ ମଧ୍ୟ ସେହି ଦଳ ସରକାର ଗଢିଲେ ରାଜ୍ୟର ବିକାଶ ଅଧିକ ତ୍ୱରାନ୍ୱିତ ହେବ । କେନ୍ଦ୍ରରୁ ଟଙ୍କା ଆସିବ ଆଉ ରାଜ୍ୟ ବିକାଶରେ ଖର୍ଚ୍ଚ ହେବ । ତେଣୁ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ଉତ୍ସବକୁ ଅବସର ଭାବେ ବ୍ୟବହାର କରି ଡବଲ ଇଞ୍ଜିନର କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହାକୁ ସହଜରେ ଗ୍ରହଣ କରିପାରି ନାହିଁ ବିଜେଡି । ଝାରସୁଗୁଡା ଉପନିର୍ବାଚନ ଓ କର୍ଣ୍ଣାଟକ ପରାଜୟର କଥା କହି ପାଲଟା ଆକ୍ରମଣ କରିଛନ୍ତି ବିଜେଡି ବିଧାୟକ ।

ନିକଟରେ ଶଶୀକଳା ସିଣ୍ଡ୍ରୋମ କଥା କହି ରାଜ୍ୟ ସରକାରଙ୍କୁ ଜୋରଦାର ଆକ୍ରମଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଶାସନିକ ଅବ୍ୟବସ୍ଥା ଓ ମହିଳାଙ୍କୁ ସମ୍ମାନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏବେ ପୁଣି ଉଦଘାଟନୀ ଉତ୍ସବରେ ଡବଲ ଇଞ୍ଜିନର କଥା କହି ସରକାର ପରିବର୍ତନର ଆହ୍ୱାନ ଦେଇଥିବା ଚର୍ଚ୍ଚା ହେଉଛି ।