ପୁରୀରୁ ହାୱଡ଼ା ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍: ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । କହିଲେ, ଦେଶର କୋଣ ଅନୁକୋଣରେ ପହୁଁଚୁଛି ବିକାଶ

140

କନକ ବ୍ୟୁରୋ: ଏହି ସବୁଜ ସଂକେତ ହୁଏତ ସବୁ ଦିନ ପାଇଁ ମନେ ରହିଛି । କାରଣ, ରେଳ ଯୋଗଯୋଗ କ୍ଷେତ୍ରରେ ଓଡ଼ିଶା ମାନିଚିତ୍ରରେ ଯୋଡ଼ି ହୋଇଯାଇଛି ନୂଆ ଅଧ୍ୟାୟ । ପୁରୀରୁ ଗଡ଼ିଛି ସେମି ହାଇସ୍ପିଡ୍ ଟ୍ରେନ୍ । ରେଳର ଗତି ଓ ଦେଶର ପ୍ରଗତିର ପ୍ରତୀକ କୁହାଯାଉଥିବା, ବନ୍ଦେ ଭାରତ ଏକ୍ସପ୍ରେସ, ପୁରୀରୁ ବାହାରି ହାୱଡ଼ା ଅଭିମୁଖେ ଯାତ୍ରା କରିଛି । ଭର୍ଚୁଆଲ ମୋଡରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ସହ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି- ଏହି ସେବା ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମ୍ବନ୍ଧକୁ ସମୃଦ୍ଧ କରିବ । ଆଧୁନିକ ଟ୍ରେନ୍ ଦେଶର ଅର୍ଥ ବ୍ୟବସ୍ଥାକୁ ଗତି ଦେବ ।
ସମୟ ବଂଚିବା ସହ ବ୍ୟବସାୟ ବଢ଼ିବ । ପୂର୍ବରୁ ବଡ଼ ବଡ଼ ପ୍ରକଳ୍ପ ଦିଲ୍ଲୀ, ମୁମ୍ବାଇରେ ସୀମିତ ରହୁଥିଲା । ଏବେ ଦେଶର କୋଣ ଅନୁକୋଣରେ ସବୁ ପ୍ରକଳ୍ପ ପହଂଚୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଓଡ଼ିଶାର ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ପାଇଁ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ- ରାଉରକେଲା ଏବଂ ଭୁବନେଶ୍ୱର-ହାଇଦ୍ରାବାଦ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍, ଦାବି କରିଛନ୍ତି । ସେହିପରି ପୁରୀ ଇଂଟନ୍ୟାସନାଲ ଏୟାରପୋର୍ଟ, ଅନୁଗୁଳ- ସୁକିନ୍ଦା ଓ ପାରାଦୀପ- ହରିଦାସପୁର ପାସେଞ୍ଜର ଟ୍ରେନ ପ୍ରସଙ୍ଗ ଉଠାଇଛନ୍ତି ।

ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ, ବିଶ୍ୱସ୍ତରୀୟ ପୁରୀ ଓ କଟକ ରେଳଷ୍ଟେସନର ଶିଳାନ୍ୟାସ ସମେତ ୮ ହଜାର ୨ ଶହ କୋଟିରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ ହୋଇଛି । ସମ୍ବଲପୁର-ଟିଟଲାଗଡ଼ ରେଳ ଲାଇନ୍ର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ନୂତନ ବ୍ରଡ୍ ଗଜ ରେଳ ଲାଇନ୍ ଲୋକାର୍ପଣ ହୋଇଛି । ମନୋହରପୁର-ରାଉରକେଲା- ଝାରସୁଗୁଡ଼ା-ଜାମଗାଁ ମଧ୍ୟରେ ତୃତୀୟ ଲାଇନ୍ ଓ ବିଛୁପାଲି-ଝାରତରଭା ମଧ୍ୟରେ ନୂଆ ବ୍ରଡ୍ ଗଜ ଲାଇନ୍ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ।

ବନ୍ଦେ ଭାରତ ଏକ୍ସପ୍ରେସ ରେଳ ଯାତ୍ରାରେ ଏକ ନିଆରା ଅନୂଭତି ଆଣିବ । ପୁରୀରୁ ହାୱାଡ଼ା ଯାତ୍ରା ପାଇଁ ମାତ୍ର ସାଢ଼େ ୬ ଘଂଟା ଲାଗିବ । ପ୍ରାୟ ୨୦% ସମୟ ବଂଚିବ । ଏସି ଚେୟାର କାର ପାଇଁ ୧,୪୩୦ ଟଙ୍କା ଭଡ଼ା ପଡ଼ିବ । ଏକ୍ଜିକ୍ୟୁଟିଭ ଚେୟାର କାର ପାଇଁ ୨, ୬୧୫ ଟଙ୍କା ଭଡ଼ା ପଡ଼ିବ ।