ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ

124

କନକ ବ୍ୟୁରୋ : ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଉତ୍ତରପ୍ରଦେଶର ଆଗ୍ରାରେ ଆମ୍ବେଦକର ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । କେନ୍ଦ୍ରମନ୍ତ୍ରୀ ମଞ୍ଚରେ ସମ୍ବୋଧନ ଦେଉଥିବା ବେଳେ ହଠାତ୍ ପ୍ରବଳ ଝଡ଼ତୋଫାନ ହୋଇଥିଲା ଏବଂ ଲାଇଟ୍ ଷ୍ଟାଣ୍ଡ ଗୁଡ଼ିକ ଭାଙ୍ଗି ପଡ଼ିଥିଲା । ଏପରିକି ପବନ ଯୋଗୁ ବିଦ୍ୟୁତ୍ କାଟ୍ ହୋଇଥିଲା ।

ଯାହା ପରେ କେନ୍ଦ୍ରମନ୍ତ୍ରୀଙ୍କ ସମ୍ବୋଧନକୁ ତୁରନ୍ତ ରୋକିଦିଆ ଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ଜୀବନ ବିକଳରେ ଧାଁଦୌଡ଼ ଆରମ୍ଭ କରିଦେଇଥିଲେ । ଏପରିକି ଲାଇଟ୍ ଷ୍ଟାଣ୍ଡ ଭାଙ୍ଗିବା ଦ୍ୱାରା କିଛି ଲୋକ ଗୁରୁତର ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି । ପୂର୍ବତନ ବିଧାୟକ ଲାଲ ଦୁବେଶ ଓ ତାଙ୍କ ଡ୍ରାଇଭର୍ ମଧ୍ୟ ଏହି ଦୁର୍ଘଟଣାରେ ଆଘାତପ୍ରାପ୍ତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି ।