ତୁର୍କୀ ଓ ସିରିଆରେ ନବମ ଦିନରେ ଉଦ୍ଧାର କାର୍ଯ୍ୟ ଜାରି : ଭଙ୍ଗା କୋଠା ତଳେ ଜୀବନ, ସରି ଆସୁଛି ଦିନ

110

କନକ ବ୍ୟୁରୋ : ତୁର୍କୀ ଓ ସିରିଆରେ ଉଦ୍ଧାର କାର୍ଯ୍ୟ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି । କଂକ୍ରିଟ ଚାଦର ତଳେ ଫସି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଲୋକଙ୍କୁ ଜୀବନ୍ତ ଉଦ୍ଧାର କରିବାର ଶେଷ ସମୟ ଆସିଯାଇଛି । କାରଣ ମଣିଷ ନଖାଇ ନପିଇ ୭ ଦିନ ବଞ୍ଚିପାରିବ । ଏହାପରେ ମଣିଷ ମୂମୁର୍ଷ ଅବସ୍ଥାକୁ ଚାଲିଯାଇଥାଏ । ଗତ ୬ ତାରିଖରେ ତୁର୍କୀ ଓ ସିରିଆରେ ଭୂକମ୍ପ ହୋଇଥିଲା ବେଳେ ଆଜି ୮ ଦିନ ପୁରିି ୯ ଦିନ ଚାଲୁଛି । କଂକ୍ରିଟ ଚାଦର ତଳେ ଫସି ରହିଥିବା ଲୋକଙ୍କ ଶେଷ ସମୟ ଆସିଯାଇଛି । ତାଙ୍କୁ ଶୀଘ୍ର ଉଦ୍ଧାର କରାନଗଲେ, ସେମାନଙ୍କ ଜୀବନ ଦୀପ ଲିଭି ଯିବ ।

ତେଣୁ ତୁର୍କୀ ଓ ସିରିୟାରେ ଶେଷ ମୂହୂର୍ତ୍ତରେ ମଧ୍ୟ ଜୀବନ ବଞ୍ଚାଇବାକୁ ଉଦ୍ଧାକାରୀ ଦଳ ଅପ୍ରାଣ ଉଦ୍ୟମ ଚଲାଇଛନ୍ତି । ତେଣୁ ଉଦ୍ଧାରକାରୀ ଦଳ ଏବେ ସନ୍ଧାନୀ କୁକୁର ଓ ଥର୍ମାଲ କ୍ୟାମେରା ଜରିଆରେ କଂକ୍ରିଟ ତଳେ ବଞ୍ଚିଥିବା ଲୋକଙ୍କୁ ଚିହ୍ନଟ ଉଦ୍ୟମ ଚାଲିଛି । ଯେଉଁଠି କୌଣସି ମଣିଷ ବଞ୍ଚିଥିବା ସୂଚନା ମିଳିବା ପରେ ତୁରନ୍ତ ସେଠାରୁ ଜୀବନ୍ତ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି । ଭୂମିକମ୍ପରେ ତୁର୍କୀର ୧୩ଟି ସହର ଧ୍ୱଂସସ୍ତୁପରେ ପରିଣତ ହୋଇଥିବା ବେଳେ ଭଙ୍ଗା କୋଠା କଂକ୍ରିଟ ଚଦର ତଳୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ତୁର୍କୀ ଓ ସିରିୟାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୭ ହଜାର ଟପିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି ।