ରାଜ୍ୟରେ ବଡ଼ ଧରଣର ଜମି କେଳେଙ୍କାରୀର ଫିଟୁଛି ଗୁମର । ପାତ୍ରପଡ଼ା ଜମି ଜାଲିଆତିକୁ ନେଇ ଦୁଇ ଆଇପିଏସ ଅଧିକାରୀ ମୁହାଁମୁହିଁ

293

କନକ ବ୍ୟୁରୋ: ରାଜଧାନୀରେ ସରକାରୀ ଜମି କେଳେଙ୍କାରୀକୁ ନେଇ ଖୋଲୁଛି ଗୁମର । ଏହି ଜମି କେଳେଙ୍କାରୀର ଗୁମର ଖୋଲିଛନ୍ତି ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ସର୍ବୋଚ୍ଚ ପଦବୀରେ ଥିବା ଜଣେ ପ୍ରଭାବଶାଳୀ ଅଫିସର, ଜମି କିଣି ଠକାମିର ଶିକାର ହେବା ପରେ ଏହି ଘଟଣାର ଗୁରୁତ୍ୱ ବଢ଼ିଯାଇଛି । ବଡ଼ କଥା ହେଉଛି, ଏହି ଜମି କେଳେଙ୍କାରୀରେ ଡିଜିପି ସଂଜୀବ ମାରିକଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ନାଗେଶ୍ୱର ରାଓ ।

  • ଶ୍ୟାମସୁନ୍ଦର ହାଁସଦାଙ୍କ କଥାରେ ପଡ଼ି ପାତ୍ରପଡ଼ାରେ ୪ହଜାର ବର୍ଗଫୁଟର ଜମି କିଣିଥିଲେ
  • ଜାଲିଆତି ହୋଇଥିବା ନେଇ ୪ବର୍ଷ ପରେ ଜାଣିବାକୁ ପାଇଥିଲେ
  • ମ୍ୟୁଟେସନ୍ ହୋଇନପାରିବାରୁ ୨୦୧୫ରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ
  • ସଞ୍ଜୀବ ମାରିକଙ୍କ ଚାପରେ ମାମଲା ରୁଜୁ କରିନଥିଲା ଇଓଡବ୍ଲ୍ୟୁ
  • ତଦନ୍ତ ହେଲେ ମହାଦୁର୍ନୀତି ପଛରେ ଥିବା ବଡ଼ବଡ଼ିଆଙ୍କ ମୁଖା ଖୋଲିବ

ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ସାଂଘାତିକ ଅଭିଯୋଗ ପରେ ଜବାବ ରଖିଛନ୍ତି ପୂର୍ବତନ ପୁଲିସ ଡିଜି ସଂଜୀବ ମାରିକ । ଏହାସହ ଜଣେ ଆଇପିଏସ ଅଧିକାରୀ ଭାବେ ନାଗେଶ୍ୱର ରାଓ କିପରି ଠକାମିର ଶିକାର ହେଲେ, ଆଉ ଜାଣିପାରିଲେ ନାହିଁ, ସେ ନେଇ ପାଲଟା ପ୍ରଶ୍ନ କରିଛନ୍ତି ସଂଜୀବ ମାରିକ । ମାରିକ ଆହୁରି ପ୍ରଶ୍ନ କରିଛନ୍ତି ଯେ…

  • ଜଣେ ଆଇପିଏସ୍ ଅଫିସର ହୋଇ ଏତେ ଅଧିକ ଜମି ନେଲେ କାହିଁକି?
  • କିଣିବା ବେଳେ ଜାଣିପାରିଲେନି ବିକିବା ବେଳେ କେମିତି ଜାଣିଲେ?
  • ଯଦି ଦୁର୍ନୀତି ହୋଇଛି ଏହାର ତଦନ୍ତ କରାଯାଉ
  • ଜମି କେଳେଙ୍କାରୀରେ ତାଙ୍କର ସଂପୃକ୍ତି ନାହିଁ, କୌଣସି ଜମି ହାତେଇ ନାହିଁ
  • କାଗଜପତ୍ର ଦେଖି ଜମି କିଣିଛି ପୁଅ

ନାଗେଶ୍ୱର ରାଓଙ୍କ ଏପରି ଅଭିଯୋଗ ପରେ ପ୍ରଶ୍ନ ଉଠୁଛି ଯେ, ଜଣେ ଆଇପିଏସ ଅଫିସର କିପରି ଜମି କିଣିବା ପୂର୍ବରୁ ସେଥିରେ ଜାଲିଆତି ହୋଇଛି କି ନାହିଁ ଜାଣିପାରିଲେ ନାହିଁ? ଅଭିଯୋଗ ଯଦି ସତ, ତା ହେଲେ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ କାହିଁକି ମାମଲା ରୁଜୁ ହେଲା ନାହିଁ?