ତୁର୍କୀ-ସିରିଆ ଭୂମିକମ୍ପ, ଦୀର୍ଘ୯ ଦିନ ପରେ ବି ଭଙ୍ଗାକୋଠା ତଳୁ ଉଦ୍ଧାର ହେଉଛନ୍ତି ଜୀବନ୍ତ ମଣିଷ

98

କନକ ବ୍ୟୁରୋ : ଫେବ୍ରୁଆରୀ ୬ । ତୁର୍କୀ ଓ ସିରିଆ ଉପରେ ମାଡ଼ି ଆସିଥିଲା ପ୍ରଳୟଙ୍କାରୀ ଭୂମିକମ୍ପ । ବଡ ବଡ କୋଠାଠୁ ନେଇ କାର୍ଯ୍ୟାଳୟ । ସବୁ କିଛି କ୍ଷଣିକ ଭିତରେ ମାଟିରେ ମିଶିଥିଲା । ସତେ ଯେମିତି ଆଖି ପଲକରେ ଧ୍ୱଂସ୍ତସ୍ତୁପ ପାଲଟିଥିଲା ତୁର୍କୀ । ଶନିବାର ଘଟଣାକୁ ପୂରିଛି ୯ଦିନ । ତେବେ ଏହି ଭୂମିକମ୍ପ ଯେତେ ବଡ ଝଟକା ଦେଇଛି ସେତିକି ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରୁଛି । କାରଣ ଭୂମିକମ୍ପର ୧୯୮ ଘଂଟା ପରେ ମଧ୍ୟ ଭଙ୍ଗା ଚଟଣାତଳୁ ମିଳୁଛି ଜୀବନ । କେଉଁଠି କୁନି ଛୁଆର କୁଆଁ କୁଆଁ ଡାକ ଶୁଭୁଛି ତ ପୁଣି କିଏ ବଂଚିବା ପାଇଁ ଆର୍ତ ଚିକ୍ରାର କରୁଛି । କେଉଁଠି ମାଠୁ ଅଲଗା ହୋଇ ନବଜାତ ଶିଶୁ ଉଦ୍ଧାର ହେଉଛି ତ ପୁଣି କେଉଁଠି ବୃଦ୍ଧାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି ।

ବିଶେଷଜ୍ଞଙ୍କ ମତରେ ଜଣେ ମଣିଷ ନଖାଇ ନପିଇ ୭ ଦିନ ଯାଏ ବଂଚିପାରିବ । ଏହାପରେ ସେ ମୁମୁର୍ଷ ଅବସ୍ଥାକୁ ଚାଲିଯାଇଥାଏ । ତୁର୍କୀ ଓ ସିରିୟା ଭୂମିକମ୍ପକୁ ୯ଦିନ ପୂରି ସାରିଲାଣି । ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବେଶ ବୃଦ୍ଧି ପାଇବା ଆଶଙ୍କା ରହିଛି । ସେପଟେ ତୁର୍କୀ ଉଦ୍ଧାର କାମରେ କମାଲ କରୁଛି ଭାରତର ଏନଡିଆରଏଫ ଟିମ୍ । ଏଥିସହ ଟିମରେ ସାମିଲ ଥିବା ୪ଟି ସନ୍ଧାନୀ କୁକୁର ବା ସ୍ନିପର ଡଗ୍ ଜୁଲି, ରୋମିଓ. ହନି ଓ ରାମ୍ବୋ ମଧ୍ୟ ଭଙ୍ଗା କୋଠା ତଳୁ ଜୀବିତ ଲୋକଙ୍କୁ ଖୋଜି ବାହାର କରୁଛନ୍ତି ।

ଭୁକମ୍ପ ପରେ ତୁର୍କୀ ଓ ସିରିଆରେ ଖାଦ୍ୟ, ପାନୀୟ ଅଭାବ ଦେଖାଯାଉଛି । ବାସହରା ଲୋକେ ରାସ୍ତାରେ ପଡିରହିଛନ୍ତି । ଆଗକୁ ଭୋକ ଉପାସ ଓ ମହାମାରୀ ଯୋଗୁଁ ଏଠାରେ ପୋକମାଛି ପରି ଲୋକଙ୍କ ମୃତ୍ୟୁ ହେବା ନେଇ ଆଶଙ୍କା ଦେଖାଦେଇଛି ।