ଆଦାନୀ ମାମଲାରେ ଅମିତ ଶାହାଙ୍କ ଜବାବ । କହିଲେ, ବିଜେପି ନିକଟରେ ଲୁଚାଇବାକୁ କିଛି ନାହିଁ

198

କନକ ବ୍ୟୁରୋ : ଗୌତମ ଆଦାନୀ ଓ ହିଣ୍ଡେନବର୍ଗ । ଏହି ଦୁଇଟି ନାଁ ଜାନୁଆରୀ ୨୪ ତାରିଖରୁ ବେଶ ଚର୍ଚ୍ଚାରେ ରହିଛନ୍ତି । ଆଦାନୀଙ୍କ ନାଁରେ ହିଣ୍ଡେନବର୍ଗ ଯେଉଁ ଦୁର୍ନୀତି, ଅର୍ଥହେରଫେର ଅଭିଯୋଗ ଆଣିଥିଲା ତାକୁ ମୋଦି ସରକାରଙ୍କ ସହ ସିଧାସଳଖ ଯୋଡୁଛନ୍ତି ବିରୋଧୀ । ତେବେ ଘଟଣାର ୨୦ଦିନ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅମିତ ଶାହା । ନ୍ୟୁଜ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ଶାହା କହିଛନ୍ତି ଆଦାନୀ ମାମଲାରେ ସରକାର କିମ୍ବା ବିଜେପି ନିକଟରେ ଲୁଚାଇବା ପାଇଁ କିିଛି ନାହିଁ । ତେଣୁ ଦଳ ଭୟ ମଧ୍ୟ କରୁନି । ସରକାରଙ୍କ ଆଦାନୀ ମାମଲାରେ କୌଣସି ସମ୍ପୃକ୍ତି ନାହିଁ । ବିରୋଧୀ ହଙ୍ଗାମା କରୁଛନ୍ତି । ଯଦି ପ୍ରମାଣ ଅଛି ତେବେ କୋର୍ଟକୁ ଯାଆନ୍ତୁ । ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ତେଣୁ ଏହା ଉପରେ ମନ୍ତବ୍ୟ ଦେବା ଉଚିତ ନୁହେଁ ।

ସାକ୍ଷାତାକାର ଦେଇ ଆଦାନୀ ମାମଲାରେ ଗୃହମନ୍ତ୍ରୀ ନିଜ ବୟାନ ରଖିସାରିଛନ୍ତି । ସେପଟେ ବିରୋଧୀ ଗୋଟିଏ କଥାରେ ଅଡି ବସିଛନ୍ତି । ସରକାର ସଂସଦରେ ଆଦାନୀ ମାମଲାରେ ଜବାବ ଦିଅନ୍ତୁ ବୋଲି ବିରୋଧୀ ଦାବି କରି ସଂସଦର ଉଭୟ ଗୃହରେ ହଟଗୋଳ କରିଥିଲେ । କଂଗ୍ରେସ କହିଛି ଆଦାନୀ ପ୍ରସଙ୍ଗ ଉଠାଇବା ଉଦ୍ଦେଶ୍ୟ କେବଳ ମୋଦି ସରକାରଙ୍କ ମୁଖା ଖୋଲିବା ନୁହେଁ ବଂର ଦେଶର ୩କୋଟି ନିବେଶକଙ୍କ ଅର୍ଥକୁ ସୁରକ୍ଷା ଦେବ । ସାରା ଦେଶରେ ପ୍ରତିବାଦକୁ ଜୋରଦାର କରିବାକୁ ପ୍ରସ୍ତୁତି କରୁଛି କଂଗ୍ରେସ ।

ଜାନୁଆରୀ ୨୪ ତାରିଖ । ପୂରା ଦେଶରେ ସେତେବେଳେ ଚହଳ ପଡିଥିଲା ଯେତେବେଳେ ଆମେରିକା ରିସର୍ଚ୍ଚ ସଂସ୍ଥା ହିଣ୍ଡେନବର୍ଗ ଭାରତର ସବୁଠୁ ଧନୀ ବ୍ୟକ୍ତି ତଥା ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନୀଙ୍କୁ ନେଇ ଚାଂଚଲ୍ୟକର ରିପୋର୍ଟ ଦେଇଥିଲା । ବାସ ଏହିଠାରୁ ହିଁ ବିରୋଧୀଙ୍କୁ ମିଳିଯାଇଥିଲା ମୋଦି ସରକାରଙ୍କ ବିରୋଧରେ ନୂଆ ଅସ୍ତ୍ର ।