ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଭିଡ଼ ନିୟନ୍ତ୍ରଣ ପାଇଁ ହେବ ୬ ଥାକିଆ ରାସ୍ତା ! ମାଷ୍ଟର ପ୍ଲାନ ପ୍ରସ୍ତୁତ । ବର୍ଷେ ଭିତରେ ସରିବ କାମ
କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର କାୟା ବଢିବା ସହ ଭିଡ ବଢିବାରେ ଲାଗିଛି । ଆଜିକାଲି ଜୟଦେବ ବିହାର- ନନ୍ଦନକାନନ ମୁଖ୍ୟ ରାସ୍ତା ସବୁଠାରୁ ଅଧିକ ଭିଡ ବଢିବାରେ ଲାଗିଛି । ଏହି ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ କରିବା କଷ୍ଟକର ହୋଇପପଡିଛି । ତେବେ ଏବି ସାଢେ ତିନି କିଲୋମିଟର ରାସ୍ତାର ଭିଡ କମାଇବା ପାଇଁ ଚିନ୍ତା କରିଛନ୍ତି ସରକାର । ଏଥିପାଇଁ ଏକ ସମାନ୍ତରାଳ ରାସ୍ତା ନିର୍ମାଣ କରାଯିବ । ଜୟଦେବବିହାର-ନନ୍ଦନକାନନ ମୁଖ୍ୟ ରାସ୍ତାରେ ଟ୍ରାଫିକ ଭିଡ଼କୁ ନିୟନ୍ତ୍ରଣ କରିବା ନିମନ୍ତେ ସୈନିକ ସ୍କୁଲ୍ ମୁଖ୍ୟ ଗେଟରୁ ଡମଣା ଛକ ପର୍ୟ୍ୟନ୍ତ ହେବାକୁ ଥିବା ୩.୪୯ କିଲୋମିଟର ବିଶିଷ୍ଟ ରାସ୍ତା ନିର୍ମାଣ ନିମନ୍ତେ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ବିକଳ୍ପ ସମାନ୍ତରଳ ରାସ୍ତା ନିମନ୍ତେ ପ୍ରାୟ ୩୩କୋଟି ଟଙ୍କା ବ୍ୟୟ କରାଯିବ। ଏଥିନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ ସୈନିକ ସ୍କୁଲ୍ ମୁଖ୍ୟ ଫାଟକ ନିକଟରୁ ଆରମ୍ଭ ହେବାକୁ ଥିବା ଏହି ରାସ୍ତା ୬ ଲେନ ବିଶିଷ୍ଟ ହେବ। ସୈନିକ ସ୍କୁଲରୁ ମଞ୍ଚେଶ୍ୱର ରେଲେଓ୍ଵ ହସ୍ପିଟାଲ-ରେଲେଓ୍ଵ ଓ୍ଵାର୍କସପ କଲୋନି-କେନ୍ଦ୍ରୀୟ ବିଦ୍ୟାଳୟ-୩-ନେତାଜୀ ସୁଭାଷ ଏନକ୍ଲେଭ-ଗୁରୁ କେଳୁଚରଣ ପାର୍କ ହୋଇ ଏହି ବିକଳ୍ପ ରାସ୍ତା ଡମଣା ଛକ ସହିତ ସଂଯୁକ୍ତ ହେବ। ଏହି ରାସ୍ତାରେ ଲୋକଙ୍କ ଗମନାଗମନ ପାଇଁ ଫୁଟପାଥ ରହିବା ସହିତ ସାଇକେଲ ଟ୍ରାକର ବ୍ୟବସ୍ଥା ମଧ୍ୟ କରାଯିବ। ବନ୍ୟାଜଳ ନିଷ୍କାସନ ନିମନ୍ତେ ଡ୍ରେନ ସହିତ ସାଧାରଣ ଡ୍ରେନେଜ ବ୍ୟବସ୍ଥାର ବନ୍ଦୋବସ୍ତ ଏହି ରାସ୍ତାରେ ରହିବ।
ସ୍ଥାନୀୟ ଲୋକଙ୍କ ସୁବିଧା ଦୃଷ୍ଟିରୁ ଏହି ରାସ୍ତା ମଧ୍ୟରେ ଏକ ଅଣ୍ଡରପାସ ନିର୍ମାଣ ହେବ। ସେହିପରି ସୈନିକ ସ୍କୁଲ ନିକଟରେ ଭିଡ଼ କମାଇବା ତଥା ରାସ୍ତା ଅତିକ୍ରମ କରିବାରେ ସୁବିଧା ନିମନ୍ତେ ଏକ ଫୁଟ ଓଭରବ୍ରିଜ ମଧ୍ୟ ନିର୍ମାଣ କରାଯିବ। ଏହି ବିକଳ୍ପ ରାସ୍ତା ନିମନ୍ତେ ବିଡ଼ିଏ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଏଥିନିମନ୍ତେ ଡମଣା ନିକଟରେ ଥିବା ଜବରଦଖଲକୁ ହଟାଯାଇଛି । ୬ଲେନ ବିଶିଷ୍ଟ ଏହି ରାସ୍ତା ନିମନ୍ତେ କିଛି ଘରୋଇ ଜାଗା ଯାଉଥିବାରୁ ଏଥିନିମନ୍ତେ ଆଲୋଚନା ଚାଲିଥିବା ସୂଚନା ମିଳିଛି।
ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଗଲେ ବିମାନବନ୍ଦରରୁ ନନ୍ଦନକାନନ ଯାଉଥିବା ପର୍ୟ୍ୟଟକ ତଥା ସର୍ବସାଧାରଣ ଏହି ରାସ୍ତାକୁ ବ୍ୟବହାର କରିପାରିବେ। ଏହାଦ୍ୱାର ସମୟ ବଞ୍ଚିବା ସହିତ ଏହି ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ମଧ୍ୟ ସୁବିଧା ପାଇବେ। ଏହି ବିକଳ୍ପ ରାସ୍ତା ଫଳରେ ଜୟଦେବବିହାର-ନନ୍ଦନକାନନ ମୁଖ୍ୟ ରାସ୍ତା ଉପରେ ଚାପ ଅନେକ ପରିମାଣରେ କମ ହୋଇଯିବ। ସେହିପରି ନନ୍ଦନକାନନ ପଟୁ ଆସୁଥିବା ଲୋକମାନେ ମଧ୍ୟ ଏହି ରାସ୍ତା ବ୍ୟବହାର କରିପାରିବେ।
ଉଲ୍ଲେଖଯୋଗ୍ୟଯେ ୨୦୩୦ ସୁଦ୍ଧା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜନସଂଖ୍ୟା ୭ଲକ୍ଷ ଟପିଯିବ। ଏବେ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ଜୟଦେବବିହାର- ନନ୍ଦନକାନନ ଚାରିଥାକିଆ ରାସ୍ତା ଭିଡ଼ ନିୟନ୍ତ୍ରଣରେ ଫେଲ ମାରିଥିବାରୁ ଆଗକୁ ଏହା ଅଧିକ ଜଟିଳ ରୂପ ନେଇପାରେ। ତେଣୁ ଏହି ରାସ୍ତାର ବିକଳ୍ପ ରାସ୍ତା ନିର୍ମାଣ କରିବାକୁ ବିଡିଏ ପକ୍ଷରୁ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି। ଏହି କ୍ରମରେ ଜୟଦେବ ବିହାର- ନନ୍ଦନକାନନ ରାସ୍ତାର ସମାନ୍ତରାଳରେ ଦୁଇଟି ପ୍ରମୁଖ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ବିଡିଏ ଡିପିଆର ପ୍ରସ୍ତୁତ କରିବ। ଏଥିପାଇଁ ସିଆଇଡିଏଫ ପାଣ୍ଠିରୁ ଅର୍ଥ ଅନୁମୋଦନ ହେବ।
ରାଜଧାନୀର ଏକ ବ୍ୟସ୍ତବହୁଳ ଜୟଦେବବିହାର-ନନ୍ଦନକାନନ ମୁଖ୍ୟ ରାସ୍ତାରେ ଟ୍ରାଫିକ ଭିଡ଼ କମାଇବା ଓ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ଉଦ୍ଦେଶ୍ୟରେ ନିର୍ମାଣ ହେବାକୁ ଥିବା ଡମଣା ବିକଳ୍ପ ରାସ୍ତାର ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିନିମନ୍ତେ ପ୍ରାୟ ୩୩କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇ କାମ ଆରମ୍ଭ ହେଲେ ଏହା ବର୍ଷେ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ବିଡିଏର ମୁଖ୍ୟଯନ୍ତ୍ରୀ ରମାବଲ୍ଲଭ ମିଶ୍ର କହିଛନ୍ତି ।