ଆଜି ପ୍ରଧାନମନ୍ତ୍ରୀଙ୍କ ମାରାଥନ ଗସ୍ତ : ୩୬ ଘଣ୍ଟାରେ ୫ହଜାର କିମି କରିବେ ଯାତ୍ରା; ୭ସହରରେ ୮ଟି କାର୍ଯ୍ୟକ୍ରମରେ ହେବେ ସାମିଲ

150

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ମାରାଥନ ଗସ୍ତ କରୁଛନ୍ତି । ମୋଦୀ ଦୁଇ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନେକ ବିକାଶମୂଳଳ ଯୋଜନାର ଶୁଭାରମ୍ଭ କରିବା ପାଇଁ ୭ସହରକୁ ଗସ୍ତ କରିବେ । ୩୬ ଘଣ୍ଟାର ସମୟ ମଧ୍ୟରେ ମୋଦୀ ୫ହଜାର ୩୦୦ କିଲୋମିଟର ଯାତ୍ରା କରିବେ ଏବଂ ୮ଟି କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ମଧ୍ୟପ୍ରଦେଶ ଗସ୍ତ କରିବେ । ପରେ କେରଳ ଓ ଦାଦରା ଓ ନଗର ହାବେଳି ଏବଂ ଡାମନ ଓ ଡିୟୁ ଗସ୍ତ କରିବେ ।

ମୋଦୀ ପ୍ରଥମେ ମଧ୍ୟପ୍ରଦେଶ ଗସ୍ତ କରିବେ । ମୋଦୀ ଦିଲ୍ଲୀରୁ ଖଜୁରାହୋ ଯିବେ, ଯାହାର ଦୂରତା ୫୦୦ କିଲୋମିଟର ହେବ । ଏହାପରେ ମୋଦୀ ରେୱାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଭାଗ ନେବେ । ଏହା ପରେ ପୁଣି ଖଜୁରାହୋ ଫେରିଆସିବେ । ଏଥିପାଇଁ ପୁଣି ମୋଦୀ ୨୮୦ କିଲୋମିଟର ଅତିକ୍ରମ କରିବେ । ମଧ୍ୟପ୍ରଦେଶରେ ପାଖାପାଖି ୧୭ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ନ୍ୟାସ କରିବେ । ଏହା ପରେ ମୋଦୀ କେରଳ ଅଭିମୁଖେ ଯାତ୍ରା କରିବେ ।

କୋଚିରେ ମୋଦୀ ‘ଯୁବମ କନକ୍ଲେଭ’ ଯୋଗଦେବେ । ଏଥିପାଇଁ ତାଙ୍କୁ ୧୭ଶହ କିଲୋମିଟର ଯାତ୍ରା କରିବାକୁ ପଡ଼ିବ । ଆସନ୍ତାକାଲି ସକାଳେ କୋଚିରୁ ଥିରୁଅନନ୍ତପୁରମ ଯିବେ । ଏହାର ଯାତ୍ରା ୧୯୦ କିଲୋମିଟର ହେବ । ସେଠା ମୋଦୀ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନର ଶୁଭାରମ୍ଭ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ୧୫୭୦ କିଲୋମିଟର ଅତିକ୍ରମ କରି ସୁରଟ ଦେଇ ସିଲଭାସା ଯିବେ । ସିଲଭାସାରେ ମୋଦୀ ‘ନମୋ’ ମେଡିକଲ କଲେ ଗସ୍ତ କରିବେ ଏବଂ ବିଭିନ୍ନ ପ୍ରକଳ୍ପର ଶିଳାନ୍ନ୍ୟାସ କରିବେ । ଏହା ପରେ ମୋଦୀ ଡାମନ୍ ଓ ଡିୟୁ ଯିବେ । ଡାମନରୁ ପୁଣି ସୁରଟ ଫେରିବେ । ସୁରଟରୁ ସିଧା ଦିଲ୍ଲୀ ଆସିବେ ମୋଦୀ । ଅର୍ଥାତ ୩୬ ଘଣ୍ଟାର ନନଷ୍ଟପ ଗସ୍ତରେ ମୋଦୀ ୫ହଜାର ୩୦୦ କିଲୋମିଟର ଯାତ୍ରା କରିବେ ।