ବର୍ଷା ଦିନରେ ବିସ୍ଫୋରଣ ହୋଇପାରେ ଆପଣଙ୍କ ଫୋନ୍, କରନ୍ତୁ ନାହିଁ ଏହି କାମ

36

ନିକଟରେ ଜଣେ ବ୍ୟକ୍ତି ବର୍ଷା ହେଉଥିବା ସମୟରେ ମୋବାଇଲରେ କଲ ରିସିଭ୍ କରିବା ହେତୁ ବିସ୍ଫୋରଣ ଘଟିବା ଫଳରେ ମୃତ୍ୟୁ ହୋଇଯାଇଥିଲା। ମୌସୁମୀ ଛୁଇଁବା ସହିତ ବର୍ଷା ପାଣିରୁ ନିଜ ସହିତ ମୋବାଇଲକୁ ସୁରକ୍ଷିତ ରଖିବା ମୁସ୍କିଲ କାମ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବର୍ଷା ସମୟରେ କିପରି ରଖିବେ ଆପଣଙ୍କ ମୋବାଇଲକୁ ସୁରକ୍ଷିତ ।

ଯଦି ଆପଣ ବର୍ଷାରେ ଭିଜି ଯାଇଛନ୍ତି ଏବଂ ଏହି ସମୟରେ ମୋବାଇଲରେ କଲ୍ ଆସୁଛି ତେବେ ତାହାକୁ ରିସିଭ୍ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ବ୍ୟାଟେରୀ ସର୍ଟସର୍କିଟ ହୋଇ ବିସ୍ଫୋରଣ ହେବାର ସମ୍ଭାବନା ରହିଥାଏ। ଓଦା ହେବା ପରେ ଯଦି ମୋବାଇଲରେ କୌଣସି ଅସୁବିଧା ଦେଖା ଦେଉଛି ତେବେ ତାକୁ ନିଜେ ଠିକ୍ କରନ୍ତୁ ନାହିଁ।

ବର୍ଷା ପାଣିରୁ ମୋବାଇଲକୁ ସୁରକ୍ଷିତ ରଖିବା ପାଇଁ ମୋବାଇଲ ଜିପ୍ ପାଉଚ କିଣନ୍ତୁ। ଯାହାର ମୂଲ୍ୟ ୨୦୦ରୁ ନେଇ ୧୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଯଦି ଏହି କଭର କିଣିବା ପାଇଁ ଚାହୁଁ ନାହାନ୍ତି ତେବେ ପ୍ଲାଷ୍ଟିକ ପଲିଥିନ କିମ୍ବା ବ୍ୟାଗ୍ ଆପଣଙ୍କ ପାଖରେ ରଖନ୍ତୁ। ବର୍ଷା ହେଲେ ଏହାକୁ ବ୍ୟବହାର କରି ମୋବାଇଲକୁ ବର୍ଷା ପାଣିରୁ ବଞ୍ଚାଇ ପାରିବେ।

ବର୍ଷା ହେଉଥିବା ସମୟରେ ମୋବାଇଲକୁ ସିଧାସଳଖ କାନରେ ଦେଇ କଥା ହେବା ବଦଳରେ ଇୟରଫୋନ୍ ଓ ବ୍ଲୁଟୁଥର ବ୍ୟବହାର କରନ୍ତୁ। ଆଜିକାଲି ମାର୍କେଟରେ ୱାଟର୍ ପ୍ରୁଭ୍ ଇୟରଫୋନ୍ ଓ ବ୍ଲୁଟୁଥ ଉପଲବ୍ଧ ହେଲାଣି। ଏପରି କରିବା ସତ୍ୱେ ବି ଯଦି ଫୋନ୍ ପାଣିରେ ଭିଜି ଯାଉଛି। ତେବେ ଘରେ ପହଞ୍ଚିବା ମାତ୍ରେ ଫୋନରୁ ବ୍ୟାଟେରି ବାହାର କରି ଫଙ୍ଖା ତଳେ ଶୁଖାଇ ଦିଅନ୍ତୁ। ଫୋନକୁ ସାଙ୍ଗେସାଙ୍ଗେ ଅନ୍ କରନ୍ତୁ ନାହିଁ। ଫୋନ୍ ସମ୍ପୂର୍ଣ୍ଣ ଭାବେ ଶୁଖି ସାରିଲା ପରେ ଅନ୍ କରନ୍ତୁ।

ଫୋନକୁ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କଦାପି କରନ୍ତୁ ନାହିଁ। ଏହା ଦ୍ୱାରା ମୋବାଇଲ ଆହୁରି ଖରାପ ହେବାର ସମ୍ଭାବନା ରହିଥାଏ। ସେଥିପାଇଁ ଫୋନ୍ ଓଦା ହେଲେ, ପ୍ରଥମେ ଫୋନରୁ ବ୍ୟାଟେରୀ କାଢ଼ି ଶୁଖିବା ପାଇଁ ଛାଡି ଦିଅନ୍ତୁ ।