ରଥଯାତ୍ରାକୁ ନେଇ ବିବାଦ ! ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀର ଚେତାବନୀ, ଶେଷ ରଥ ସମନ୍ୱୟ ବୈଠକକୁ ବର୍ଜନ କରିବାକୁ ଆହ୍ୱାନ  

36

ପୁରୀ ଶ୍ରୀମନ୍ଦିରକୁ ନେଇ ଏବେ ପ୍ରତିଦିନ ନୂଆ ନୂଆ ବିବାଦ ଘଟଣା ସାମ୍ନାକୁ ଆସୁଛି । କେତେବେଳେ ନିଳାଦ୍ରୀବିଜେ ବିବାଦ ତ ଆଉ କେତେବେଳେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଘଟଣା ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରୁଛି । କେବଳ ଏତିକି ନୁହେଁ ଗତ କିଛିଦିନ ହେବ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଘଟଣା ପ୍ରସଙ୍ଗ ଏବେ ରହସ୍ୟଘେରରେ ରହିଥିବା ବେଳେ, ପୁଣି ସାମ୍ନାକୁ ଆସିଛି ଆଉ ଏକ ବିବାଦ । ତାହା ପୁଣି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ନେଇ ଉଠିଛି ବିବାଦ । ଆଉ ବିବାଦ ପ୍ରସଙ୍ଗ ଉଠାଇଛି ଖୋଦ ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ । ସମ୍ମିଳନୀର ଏକ ପୋଷ୍ଟର ଏବେ ମନ୍ଦିର ପରିଚାଳନା କମିଟି ଏବଂ ସରକାରଙ୍କ ମୁଣ୍ଡ ବ୍ୟଥା ବଢ଼ାଇଛି ।

ସୁଚନା ମୁତାବକ ନିଳାଦ୍ରୀବିଜେ ବିବାଦ ଠାରୁ ଆରମ୍ଭ କରି ମହାମହିମ ରାଷ୍ଟପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଜିଲ୍ଲାପାଳ ବାରମ୍ବାର ସେବାୟତଙ୍କ ଉପରେ ମିଥ୍ୟା ଅପବାଦ ଲଗାଉଥିବା ଅଭିଯୋଗ କରିଛନ୍ତି । ଏବଂ ଜିଲ୍ଲାପାଳଙ୍କ ଏଭଳି ଦମନମୂଳକ ମିଥ୍ୟା ଅପବାଦ ସେବାୟତ ସମାଜ ବିରୋଧି ମନୋଭାବ ବୟାନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ଶେଷ ରଥ ସମନ୍ୱୟ ବୈଠକକୁ ବର୍ଜନ କରିବାକୁ ଚେତାବନୀ ଦିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିରର ସମସ୍ତ ସ୍ୱାଭିମାନୀ ସେବାୟତ ଭାଇ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ବୈଠକକୁ ବର୍ଜନ କରିବାକୁ ଆହ୍ୱାନ କରିଛନ୍ତି ସେବାୟତ ସମ୍ମିଳନୀ ।

ଏଠି ପ୍ରଶ୍ନ ଉଠୁଛି କାହିଁକି ଶ୍ରୀମନ୍ଦିର ପ୍ରତ୍ୟେକ ନିତି ନିର୍ଘଣ୍ଟ, ପର୍ବ ପର୍ବାଣୀକୁ ନେଇ ବଢ଼ୁଛି ବିବାଦ? ପ୍ରକୃତରେ ଦୋଷୀ କିଏ, କାହା ପାଇଁ ଦିନକୁ ଦିନ ପୃଥିବୀର ଚତୁର୍ଥ ଧାମ ମଧ୍ୟରୁ ସର୍ବତ୍ତୋମ ଧାମ କୁହାଯାଉଥିବା ଶ୍ରୀକ୍ଷେତ୍ରକୁ ନେଇ ବଢ଼ୁଛି ବିବାଦ, କେବେ ପଡିବ ଏହା ଉପରେ ପୂର୍ଣ୍ଣ ଛେଦ । ଏ ସବୁ ପ୍ରଶ୍ନ ଏବେ ଜଗନ୍ନାଥପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିବାରେ ଲାଗିଛି ।