ଶତ୍ରୁ ପାଇଁ କାଳ ସାଜିବ ଭାରତୀୟ ବାୟସେନାରେ ସାମିଲ ହେବାକୁ ଯାଉଥିବା ଏହି ଘାତକ ମିସାଇଲ୍ । ଥରେ ଟାର୍ଗେଟ୍ ସେଟ୍ ହେଲେ ଶତ୍ରୁର ପିଛା କରି କରି ମାରିଥାଏ

164

କନକ ବ୍ୟୁରୋ : ବାୟୁସେନାର ଶକ୍ତି ବଢାଇବା ପାଇଁ ବାୟୁସେନାରେ ସାମିଲ ହେବାକୁ ଯାଉଛି ଏପରି ଏକ ଘାତକ ମିସାଇଲ୍, ଯାହା ଶତ୍ରୁର ପିଛା କରି କରି ବିନାଶ କରିବ । ଆକାରରେ ଅନ୍ୟ ମିସାଇଲଠୁ ଛୋଟ ସତ କିନ୍ତୁ ଲଞ୍ଚ ହେବା ମାତ୍ରେ ବଡ ବିସ୍ଫୋରଣ ଘଟାଇଥାଏ । ଭାରତୀୟ ବାୟୁସେନାରେ ଥିବା ଯୁଦ୍ଧ ହେଲିକପ୍ଟରରେ ଏହାକୁ ଲଗାଯିବ । ଚୀନ୍ ଏବଂ ପାକିସ୍ତାନ୍ ସୀମାରେ ଏହାକୁ ମୁତୟନ କରାଯିବ । ଆସନ୍ତୁ ଜାଣିବା କେବେ ଘାତକ ଏହି ମିଜାଇଲ୍ ।

ବାୟୁସେନାରେ ସାମିଲ ହେବାକୁ ଥିବା ମିସାଇଲର ନାଁ ହେଉଛି ସ୍ପାଇକ୍ ଆଣ୍ଟିଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ । ଇସ୍ରାଏଲର ଏହି ଘତକ ମିସାଇଲ୍ ଏବେ ଭାରତୀୟ ବାୟୁସେନାର ହେଲିକପ୍ଟରରେ ଲାଗିବ । ଆକାଶ ମାର୍ଗରୁ ଶତ୍ରୁର ବଙ୍କର, ଟ୍ୟାଙ୍କର ଏବଂ ଅସ୍ତ୍ରଶସ୍ତ୍ରକୁ ଆଖି ପିଛୁଳାକେ ଧ୍ୱଂସ କରିଦେବ । ପୂର୍ବରୁ ଭାରତୀୟ ସ୍ଥଳ ସେନା ଏହି ମିସାଇଲକୁ କାନ୍ଧରେ ଥୋଇ ଲଞ୍ଚ କରୁଥିଲେ । କିନ୍ତୁ ଏବେ ଏହାର ନୂଆ ଭର୍ଜନ ତିଆରି ହୋଇଛି । ବର୍ତ୍ତମାନ ଏହି ମିସାଇଲକୁ କାନ୍ଧରେ ଥୋଇ ଲଞ୍ଚ କରାଯିବା ସହ ଟ୍ରାଇପଡ୍ ସାହାଯ୍ୟରେ କିମ୍ବା ଯୁଦ୍ଧ ହେଲିକପ୍ଟର ସାହାଯ୍ୟରେ ଆକାଶମାର୍ଗରୁ ଆକ୍ରମଣ କରିଯାଇପାରିବ । ଚୀନ ଓ ପାକିସ୍ତାନ ସହ ସୀମା ବିବାଦ ବଢୁଥିବ ବେଳେ ୨୦୧୯ରେ ଏହି ମିସାଇଲର ଛୋଟ ମାତ୍ରା ଇସ୍ରାଏଲଠୁ କିଣିଥିଲା ଭାରତ । ଅପ୍ରିତିକର ପରିସ୍ଥିତିରେ ବ୍ୟବହାର କରିବା ପାଇଁ ୨୪୦ଟି ସ୍ପାଇକ୍ ଏମଆର୍ ମିଜାଇଲ୍ ଏବଂ ୧୨ଟି ଲଞ୍ଚର ମଗାଇଥିଲା ଭାରତ । ସବୁଠୁ ବଡ କଥା ହେଲା ୩୫ଟି ଦେଶ ଏହି ମିସାଇଲକୁ ବ୍ୟବହାର କରିଆସୁଛନ୍ତି । ୧୯୮୧ରୁ ଇସ୍ରାଏଲ୍ ଏହି ମିସାଇଲକୁ ବ୍ୟବହାର କରିଆସୁଛି ।

ତେବେ ଏହି ମିସାଇଲର ୯ଟି ଭାରିଆଣ୍ଟ୍ ରହିଛି । ଏହି ଭାରିଆଣ୍ଟ୍ ମଧ୍ୟରୁ ଯେଉଁ ଭାରାଆଣ୍ଟ ହେଲିକପ୍ଟରରେ ବ୍ୟବହାର କରାଯିବ ତାହାର ଓଜନ ହେଉଛି ୩୪କେଜି । ଲଞ୍ଚରରେ ବ୍ୟବହାର ହେବାକୁ ଥିବା ମିସାଇଲର ଓଜନ ରହିଛି ୫୫କେଜି । ଲଞ୍ଚରକୁ ମିଶାଇ ଏହାର ଓଜନ ହୋଇଥାଏ ୧୮୭କେଜି । ଏହି ମିଜାଇଲର ଲମ୍ବ ସାଧାରଣତଃ ୩ଫୁଟ୍ ୧୧ଇଞ୍ଚ ରହିଥାଏ । କିନ୍ତୁ ଭାରିଆଣ୍ଟ୍ ଅନୁସାରେ ଏହାର ଲମ୍ବ ସାମାନ୍ୟ କମ୍ କିମ୍ବା ଅଧିକ ହୋଇଥାଏ । ସେହିପରି ଅଲଗା ଅଲଗା ଭାରିଆଣ୍ଟର ରେଞ୍ଜ ମଧ୍ୟ ଅଲଗା ଅଲଗା ହୋଇଥାଏ । ୫୦ମିଟରରୁ ଆରମ୍ଭ କରି ୧୦ହଜାର ମିଟର ପର୍ଯ୍ୟନ୍ତ ଏହାର ରେଞ୍ଜ ରହିଛି । ହେଲିକପ୍ଟରରେ ବ୍ୟବହାର ହେବାକୁ ଥିବା ମିସାଇଲର ରେଞ୍ଜ୍ ୬ଶହରୁ ନେଇ ୨୫ହଜାର ମିଟର ପର୍ଯ୍ୟନ୍ତ ରହିଛି । ସବୁଠୁ ବଡ କଥା ହେଉଛି, ଏହି ମିସାଇଲ ଥରେ ଟାର୍ଗେଟ୍ ସେଟ୍ କରିବା ପରେ କେବେ ବି ଲକ୍ଷଚ୍ୟୁତ ହୁଏ ନାହିଁ । ଟାର୍ଗେଟକୁ ମାରିବା ଯାଏଁ ତାର ପିଛା କରିଥାଏ । ତେବେ ଏହାର ନୂଆ ଭାରିଆଣ୍ଟ୍ ମିସାଇଲ୍ ଭାରତୀୟ ବାୟୁସେନାରେ ସାମିଲ ହେଲେ ବାୟୁସେନାର ଶକ୍ତି ବଢିବା ସହ ଶତ୍ରୁ ମନରେ ବି ଭୟ ସୃଷ୍ଟି ହେବ ।