ଆଜି ଚନ୍ଦ୍ର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ : ଭାରତୀୟ ସମୟ ରାତି ୭ଟାରେ କରାଯିବ ପ୍ରବେଶ ପାଇଁ ପ୍ରୟାସ

235

କନକ ବ୍ୟୁରୋ : ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି ଚନ୍ଦ୍ରଯାନ-୩ । ଏବେ ସୁଦ୍ଧା ମୋଟ୍ ଦୂରତାର ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଲାଣି । ଚନ୍ଦ୍ରରେ ପହଂଚିବା ପାଇଁ ଚନ୍ଦ୍ରଯାନକୁ ଆଉ ଏକ ତୃତୀୟାଂଶ ଦୂରତା ଅତିକ୍ରମ କରିବାକୁ ପଡ଼ିବ । ଏହି ଦୂରତାରେ ବି ଚନ୍ଦ୍ର ତାହାର ମାଧ୍ୟାକର୍ଷଣ ଦ୍ୱାରା ଚନ୍ଦ୍ରଯାନ-୩କୁ ନିଜ ଆଡକୁ ଟାଣିବ । ଏହା ସତ୍ୱେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥରେ ପହଂଚିବା ପାଇଁ ଉଦ୍ୟମ କରିବ । ଏଥିପାଇଁ ଆଜିର ଦିନ ଚନ୍ଦ୍ରଯାନ-୩ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଆଜି ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ । ଭାରତୀୟ ସମୟ ରାତି ପ୍ରାୟ ୭ଟାରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରାଇବା ପାଇଁ ପ୍ରୟାସ ବା ଲୁନାର ଅର୍ବିଟ୍ ଇଞ୍ଜେକ୍ସନ୍ କରାଯିବ । ଏହାର ଅର୍ଥ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ପ୍ରଥମ କକ୍ଷପଥରେ ଛଡାଯିବ । ଏହା ପରେ ଆସନ୍ତାକାଲି ରାତି ପ୍ରାୟ ୧୧ଟାରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ଛଡାଯିବ । ଅଗଷ୍ଟ ୯ରେ ତୃତୀୟ, ୧୪ରେ ଚତୁର୍ଥ ଓ ୧୬ରେ ୫ମ ଲୁନାର ଅର୍ବିଟ୍ ଇଞ୍ଜେକ୍ସନ୍ ଇସ୍ରୋ ପକ୍ଷରୁ କରାଯିବ । ଆସନ୍ତା ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ।