ଲମ୍ବ ଡିଆଁ ମାରୁଛି କରୋନା । ଦିନକରେ ରାଜ୍ୟରେ ୧୨୧୬ ନୂଆ ମାମଲା । ସଂକ୍ରମଣ ହାର ୮୨ ପ୍ରତିଶତ ବୃଦ୍ଧି

117

କନକ ବ୍ୟୁରୋ: ଦେଶରେ ଲମ୍ବା ଡିଆଁ ମାରିଛି କରୋନା ସଂକ୍ରମଣ । ଦେଶରେ ଦିନକରେ କରୋନା ସଂକ୍ରମଣ ୫୦ ହଜାର ଟପିଥିବାରୁ ଆଗକୁ ମାମଲା ଆହୁରି ବଢିବା ସମ୍ଭାବନା ରହିଛି । ଦେଶରେ ସଂକ୍ରମଣ ହାର ୫୫. ୪ ପ୍ରତିଶତ ବୃଦ୍ଧି ପାଇଛି । ଏପଟେ ଓଡିଶାରେ ମଧ୍ୟ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୧୨ ମାମଲା ଆସିଛି । ସେହିପରି ଆଜି ଆହୁରି ୨୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ କରୋନା ଯେଉଁ ଲମ୍ବା ଡିଆଁ ମାରିଛି, ତାହା ଦେଖିଲେ ସଂକ୍ରମଣ ତୀବ୍ର ହେଉଥିବା ସନ୍ଦେହ ଆହୁରି ଘନୀଭୂତ ହେଉଛି । ଦେଶରେ ଗୋଟିଏ ଦିନରେ ୫୫ ପ୍ରତିଶତ ଏବଂ ଓଡିଶାରେ ୮୨ ପ୍ରତିଶତ ବଢିଛି ସଂକ୍ରମଣ । ଏପଟେ ଆଜି ପୁଣି ଜେନମ ସ୍ୱିକେନସିଂରୁ ରାଜ୍ୟରେ ଦୁଇ ଡଜନ ନୂଆ ଓମିକ୍ରନ ସଂକ୍ରମଣ ଚିହ୍ନଟ କଥା ବି ସାମ୍ନାକୁ ଆସିଛି । ଜିନୋମ ସିିକୁଏନସିଂ ପରେ ରାଜ୍ୟରେ ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ବିଦେଶ ଫେରନ୍ତା ଓ ୧୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି ।

ତେବେ ନୂଆବର୍ଷରୁ ଓଡିଶାରେ କରୋନାର ଦ୍ରୁତ ସଂକ୍ରମଣ ଚିନ୍ତା ବଢାଇ ଦେଇଛି । ଜାନୁୟାରୀ ୨ ଓ ୩ ତାରିଖରେ ୪୨୪ ଆକ୍ରାନ୍ତ ଚିହ୍ନଟ ପରେ ୪ ତାରିଖରେ ଚିହ୍ନଟ ହୋଇଥିଲେ ୬୮୦ ପଜିଟିଭ । କିନ୍ତୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୧୬ ନୂଆ ମାମଲା ସାମ୍ନାକୁ ଆସିଛି । ଅର୍ଥାତ୍ ଦିନକରେ ସଂକ୍ରମଣହାର ୮୨%କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪୫୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି ।

ସେପେଟ ଭୋରତରେ କରୋନାର ଲମ୍ବା ଡିଆଁ ଦେଖିଲେ ଲାଗୁଛି ତୃତୀୟ ଲହର ଆସିଯାଇଛି । ଗତ ୨୪ ଘଣ୍ଟାରେ ୫୮ ହଜାର ୯୭ ନୂଆ ମାମଲା ଚିହ୍ନଟ ଓ ୫୩୪ ଜଣଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ଚିହ୍ନଟ ନୂଆ ମାମଲା ଠାରୁ ଏହା ୫୫.୪ ପ୍ରତିଶତ ଅଧିକ । ସେପଟେ କରୋନା ସହ ଓମିକ୍ରନ ସଂକ୍ରମଣ ମଧ୍ୟ ଦେଶରେ ଦ୍ରୁତ ଗତିରେ ବଢୁଛି । ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୧୩୫କୁ ବୃଦ୍ଧି ପାଇଛି ।

ଭାରତରେ ଓମିକ୍ରନର ଲହର ଡେଲଟା ଭଳି ବ୍ୟାପକ ହୋଇପାରେ ଓ ଜାନୁୟାରୀରେ ଶୀର୍ଷକୁ ଛୁଇଁପାରେ କହିଛନ୍ତି ୟୁନିର୍ଭସିଟି ଅଫ ହେଲଥ୍ ମେଟ୍ରିକ୍ସନ ସାଇନସେଜ୍ ୱାଂଶିଟନର ଅଧ୍ୟକ୍ଷ ଡାକ୍ତର କ୍ରିଷ୍ଟୋଫର ମୋରେ । ତେବେ ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ
୧୮ ହଜାର ୪୬୬ ନୂଆ ଆକ୍ରାନ୍ତ ଓ ଦିଲ୍ଲୀରେ ୫୪୮୧ ନୂଆ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ମହାରାଷ୍ଟ୍ରରେ ୬୫୩ ନୂଆ ଓମିକ୍ରନ ଆକ୍ରାନ୍ତ ଓ ଦିଲ୍ଲୀରେ ୪୬୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ରାଜସ୍ଥାନରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଖବର ଆସିଛି । ତେବେ ଆଶ୍ୱସ୍ତିର କଥା ହେଉଛି, ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉନଥିବାରୁ ହସ୍ପିଟାଲ ଉପରେ ଚାପ ପଡୁନି ଓ ଆକ୍ରାନ୍ତ ଶୀଘ୍ର ସୁସ୍ଥ ହେଉଛନ୍ତି ।