ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ପୋଷ୍ଟ ଅଫିସରେ ବି ବୁକ୍ କରିପାରିବେ ରେଳ ଟିକେଟ

268

କନକ ବ୍ୟୁରୋ : ଯଦି ଆପଣ ରେଳରେ ଯାତ୍ରା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଖୁସି ଖବର । ଯାତ୍ରୀମାନଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗର ଆଇଆରସିଟିସି ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି । ଏବେ ଆପଣମାନେ ନିକଟସ୍ଥ ଡାକଘରେ ଟ୍ରେନ୍ ଟିକେଟ ବୁକିଂ କରିପାରିବେ । ଏଭଳି ସୁବିଧା ମିଳିବା ଫଳରେ ରେଳ ଷ୍ଟେସନର କାଉଣ୍ଟରରେ ଭିଡ କମିବ ବୋଲି ଆଶା କରାଯାଉଛି ।

ସୂଚନା ମୁତାବକ ରେଳ ଓ ସଂଚାର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଆସନ୍ତା କାଲି ଉତ୍ତର ପ୍ରଦେଶର ୯୧୪୭ ଟି ଡାକଘରେ ରେଲୱେ ରିଜରଭେସନ ଯୋଜନାର ଶୁଭାରମ୍ଭ କରିବେ । ଜାନୁଆରୀ ୬ ତାରିଖରୁ ସବୁ ରାଜ୍ୟର ସମସ୍ତ ବ୍ରାଞ୍ଚ ପୋଷ୍ଟ ଅଫିସର ଗ୍ରାମୀଣ ଡାକ ସେବକ ଯାତ୍ରୀଙ୍କ ପାଇଁ ଟ୍ରେନର ରିଜରଭେସନ ଟିକେଟ ପ୍ରସ୍ତୁତ କରିପାରିବେ ।

ରେଳ ଟିକେଟ ବୁକ୍ କରିବାର ପ୍ରଣାଳୀ ଆଇଆରସିଟିସିର ସହଯୋଗରେ ଲାଗୁ କରାଯିବ । ଆଇଆରସିଟିସିର ଅଥରାଇଜଡ ଏଜେଣ୍ଟ ଭଳି ଗ୍ରାମୀଣ ଡାକ ସେବକ ଦୂର ଦୂରାନ୍ତ ଗ୍ରାମରେ ଟିକେଟ ପ୍ରସ୍ତୁତ କରିପାରିବେ । ଏହା ବ୍ୟତୀତ ଜାନୁଆରୀ ୬ ତାରିଖରେ ନୂଆ ଟ୍ରେନର ଉପହାର ଗୋମତୀ ନଗର ଷ୍ଟେସନକୁ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଟ୍ରେନ ମରାମତି ପାଇଁ ନିର୍ମାଣ ହୋଇଥିବା ୱାସିଂ ପିଟକୁ ବି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ “ଆଜାଦୀ କି ଅମୃତ ମହୋତ୍ସବ”ର ୭୫ ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଇବା ନେଇ ନିଷ୍ପତ୍ତି ହୋଇଛି । ବନ୍ଦେ ଭାରତ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ।