ଜମିବାଡି ବିବାଦର କରୁଣ ରୂପ । ମୟୁରଭଞ୍ଜ ଲୁଣଚାଟି ଗାଁରେ ବଡ ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ ।

311

କନକ ବ୍ୟୁରୋ: ଜାଗା ବାଡ଼ିକୁ କେନ୍ଦ୍ର କରି ସାନ ଭାଇକୁ ହାଣୀ ଅତି ନିର୍ମମ ଭାବେ ହତ୍ୟା କଲା ବଡ଼ଭାଇ । ରାଗ ଓ ହିଂସାରେ ବଡ଼ଭାଇ ଭୁଲିଗଲା ଭାଇ-ଭାଇ ମଧ୍ୟରେ ରହିଥିବା ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା । ଭୁଲିଗଲା ନିଜ ମାଆ ପେଟରୁ ଜନ୍ମ ନେଇଥିବା ସେଇ ରକ୍ତ ସମ୍ପର୍କକୁ । ଏଭଳି ଅଭାବନୀୟ ଓ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ଲୁଣଚାଟି ଗାଁରେ । ଅଭିଯୋଗ ଅନୁସାରେ ଘର ସୀମାକୁ ସେହି ଗାଁର ଜୟନ୍ତ ମାହାନା ଏବଂ ତାଙ୍କ ବଡ଼ଭାଇ ଅରୁଣ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଗଣ୍ଡଗୋଳ ହେଉଥିଲା । ତେବେ ଗତକାଲି ସେହି ଗଣ୍ଡଗୋଳ ଚରମ ସୀମାରେ ପହଞ୍ଚି ଉଗ୍ରରୂପ ଧାରଣ କରିଥିଲା । ଝଗଡା ଲାଗିଥିବା ବେଳେ ଅରୁଣ ଅତ୍ୟଧିକ ରାଗି ଯାଇ ଘର ଭିତରୁ ଏକ ମାରଣାସ୍ତ୍ର ଆଣି ଜୟନ୍ତଙ୍କ ବେକକୁ ଆକ୍ରମଣ କରିଥିଲେ । ଫଳରେ ଜୟନ୍ତ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ହତ୍ୟା କରିବା ପରେ ଅରୁଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ରାସଗୋବିନ୍ଦପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଥାନା ଅଧିକାରୀ ସୁକାନ୍ତି କେରାଇ ତଦନ୍ତ ଜାରି ରଖିଛନ୍ତି ।