ଭୁଲ ରକ୍ତ ନେଇଗଲା ୨ ବର୍ଷର ଶିଶୁର ଜୀବନ। ଓ-ନେଗେଟିଭ ବ୍ଳଡ଼ ଗ୍ରୁପର ପିଲାକୁ ଦିଆଯାଇଛି ଏବି-ପଜିଟିଭ ରକ୍ତ।

90

କନକ ବ୍ୟୁରୋ: ଭୁଲ ରକ୍ତ ନେଇଗଲା ନିଷ୍ପାପ ଶିଶୁର ଜୀବନ । ମାଲକାନଗିରି କୋରୁକୋଣ୍ଡା ଅଞ୍ଚଳର ୨ ବର୍ଷର ଶିଶୁ କନ୍ୟାଙ୍କ ବାପା ଚାଲିଯିବା ପରେ ତାଙ୍କ ମା’ ତାଙ୍କୁ ଠିକ ଭାବେ ଖାଇବାକୁ ଦେଉନଥିଲେ । ଗୋଟିଏ କୋଠରି ଭିତରେ ବନ୍ଦ କରି ମା’ କାମ ଧନ୍ଦା ପାଇଁ ଚାଲି ଯାଉଥିଲେ । ଆଉ ଖାଦ୍ୟ ପାଇଁ କାକୁତି ମିନତି କରିବାରୁ ଖୋଦ ଜନ୍ମଦାତ୍ରୀ ମା’ ଏହି ନିଷ୍ପାପ ଶିଶୁଟିକୁ କଚାଡ଼ି ଗୋଡ ଭାଙ୍ଗି ଘରେ ପକାଇ ରଖିଥିଲେ । ଚାଇଲ୍ଡ ଲାଇନ୍ର କର୍ମକର୍ତା ଖବର ପାଇ ଶିଶୁ କନ୍ୟାଟିକୁ ଉଦ୍ଧାର କରି ଗତ ଜୁଲାଇ ୧୮ ତାରିଖରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ଏହାପରେ ଚିକିତ୍ସା ଆରମ୍ଭ ହୋଇଥିଲା । ଗୋଡ ପ୍ଲାଷ୍ଟର ମଧ୍ୟ କରା ଗଲା । ଶିଶୁ କନ୍ୟା ଦିବ୍ୟା ପୁଷ୍ଟିହିନତାର ଶିକାର ହୋଇଥିବା ଯୋଗୁ ତାଙ୍କୁ ତୁରନ୍ତ ରକ୍ତର ଆବଶ୍ୟକତା ପଡିଥିଲା । ରକ୍ତ ନମୁନା ସଂଗ୍ରହ ପରେ ମାଲାକନଗିରି ଡାକ୍ତରଖାନାରେ ପିଲାଟିକୁ ୫ ପ୍ୟାକେଟ ଏବି-ପଜିଟିଭ ରକ୍ତ ଦିଆଗଲା । ତଥାପି ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରପୁଟ ସହୀଦ ଲକ୍ଷମଣ ନାୟକ ମିଡିକାଲ କଲେଜ ଓ ପରେ ଏମକେସିଜି ଦେଇ କଟକ ଶିଶୁ ଭବନକୁ ପଠାଗଲା ।

ତେବେ କଟକ ଶିଶୁ ଭବନରେ ବାରମ୍ବାର ପରୀକ୍ଷା କରିବା ପରେ ପିଲାଟିର ରକ୍ତ ନମୁନା ଏବି ପଜିଟିଭ ନୁହେଁ ବରଂ ଓ- ନେଗେଡିଭ ବୋଲି ଜଣାପଡିଲା । ଆଉ କଟକ ଶିଶୁ ଭବନରେ ମଧ୍ୟ ଦୀର୍ଘ ଦିନର ଚିକିତ୍ସା ପରେ ପିଲା ଟି ଗତ ମାସ ୧୭ ତାରିଖରେ ପ୍ରାଣ ହରାଇଥିବା ଜଣାପଡିଛି । ତେବେ କେମିତି ମାଲକାନଗିରି ମେଡିକାଲରେ ରକ୍ତ ନମୁନାର ରିପୋର୍ଟ ଓ–ନେଗେଟିଭ ପରିବର୍ତ୍ତେ ଏବି-ପଜିଟିଭ ଆସିଲା, ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ କେମିତି ବ୍ଲଡ ରିପୋର୍ଟକୁ କ୍ରସ ଚେକ୍ କରାଗଲା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏନେଇ କଟକ ଲାଲବାଗ୍ ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁରା ଘଟଣାର ତଦନ୍ତ ଜାରି ରହିଛି ।