ହୋମ ଆଇସୋଲେସନ୍ ପାଇଁ ବଦଳିଲା ସମୟ ଅବଧି । ଏଣିକି ୭ ଦିନ ଏକାନ୍ତ ବାସରେ ରହିବେ କରୋନା ଆକ୍ରାନ୍ତ

215

କନକ ବ୍ୟୁରୋ: ହୋମ୍ ଆଇସୋଲେସନ୍ ବା ଗୃହ ସଂଗରୋଧ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅଧିକାଂଶ ଆକ୍ରାନ୍ତ ସ୍ୱଳ୍ପ ଓ ଲକ୍ଷଣବିହିନ ରହୁଥିବାରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଡାକ୍ତରଙ୍କ ଦ୍ୱାରା ଚିହ୍ନିତ ଲକ୍ଷଣ ବିହିନୀ ରୋଗୀ ସଙ୍ଗରୋଧରେ ରହିପାରିବେ । ଆକ୍ରାନ୍ତଙ୍କ ପରିବାରକୁ ପରାମର୍ଶ ପାଇଁ କଂଟ୍ରୋଲ ରୁମ୍ ନମ୍ବର ଦିଆଯିବ । ପରିବାରର ଡବଲ ଡୋଜ୍ ନେଇଥିବା ଜଣେ ବ୍ୟକ୍ତି ଆକ୍ରାନ୍ତଙ୍କ ଦେଖାଶୁଣା କରିପାରିବେ । ୬୦ ବର୍ଷରୁ ଊର୍ଦ୍ଧ ଓ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ହୋମ୍ ଆସୋଲେସନରେ ରହିପାରିବେ । ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପଡ଼ିବ । ଆଇସୋଲେସନ୍ ଅବଧି ଶେଷ ହେବା ପରେ ଆଉ କରୋନା ଟେଷ୍ଟ କରିବାର ଆବଶ୍ୟକତା ନାହିଁ  ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ଅନ୍ୟପଟେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଉଛି । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ନୂଆ ସଂକ୍ରମିତଙ୍କ ସଂଖ୍ୟା । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଯୋଗୁଁ ହସ୍ପିଟାଲରେ ରୋଗୀ ସଂଖ୍ୟା ବି ବଢ଼ୁଛି । ତେବେ ଓମିକ୍ରନ ଆକ୍ରାନ୍ତଙ୍କ ପାଇଁ ଡେଲଟା ଭଳି ସମାନ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟ ବିଭାଗ କହୁଥିଲେ ବି କାମ କରୁନି ମନୋକ୍ଲୋନାଲ ଆଣ୍ଟିବଡି କକଟେଲ୍ । ଯାହାକି ଅନେକଙ୍କ ଭିତରେ ଦ୍ୱଦ୍ୱ ସୃଷ୍ଟି କରିଛି । କରୋନା ସଂକ୍ରମିତଙ୍କୁ କେମିତି ଚିକିତ୍ସା କରାଯିବ ସେ ନେଇ ଡାକ୍ତରଙ୍କ ଭିତରେ ଦ୍ୱନ୍ଦ୍ୱ ଉପୁଜିଛି । କାରଣ କରୋନା ପଜିଟିଭ୍ ହୋଇ ଯେଉଁ ଆକ୍ରାନ୍ତ ହସ୍ପିଟାଲ ଆସୁଛନ୍ତି, ତାଙ୍କ ଦେହରେ ଡେଲଟା ପ୍ରଜାତି ନା ଓମିକ୍ରନ ତାହା ଜଣାପଡୁ ନାହିଁ ।

ଡେଲଟା ପ୍ରଜାତି ଭୂତାଣୁରେ ଗୁରୁତର ହେଉଥିବା ଆକ୍ରାନ୍ତଙ୍କୁ  ମନୋକ୍ଲୋନାଲ ଆଣ୍ଟିବଡି ଚିକିତ୍ସା ବେଶ ଫଳପ୍ରଦ ହୋଇ ଆସୁଥିଲା । କିନ୍ତୁ ଓମିକ୍ରନ ପ୍ରଜାତି ବିରୋଧରେ ଆଣ୍ଟିବଡି କକଟେଲ୍ କାମ କରୁନଥିବା କଥାକୁ ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେଣୁ ଏକପ୍ରକାର ଦ୍ୱନ୍ଦ୍ୱ ଦେଖା ଦେଇଛି, ଯେ କିଭଳି ଆକ୍ରାନ୍ତର ଚିକିତ୍ସା କରାଯିବ । ତେବେ ଆକ୍ରାନ୍ତଙ୍କ ପାଖରେ କିଭଳି ଲକ୍ଷଣ ରହିଛି ଡାକ୍ତରମାନେ ତାହାକୁ ଦେଖି ଚିକିତ୍ସା କଥା ସ୍ଥିର କରୁଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସ୍ଥିତି ମୁକାବିଲା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି,  ଖୁବ୍ ଶୀଘ୍ର ଟ୍ରିଟମେଣ୍ଟ ପ୍ରୋଟୋକଲ ବା ଚିକିତ୍ସା ପଦ୍ଧତି ସ୍ଥିର କରାଯିବ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଓମିକ୍ରନ ବିରୋଧରେ କକଟେଲ କାମ କରୁନଥିଲେ ବି ମନୁପିରାଭିର କାମ କରିବାର ସମ୍ଭାବନା ରହିଛି । ଓମିକ୍ରନ ଆକ୍ରାନ୍ତଙ୍କୁ କକଟେଲ ନଦେବାକୁ ଉଚିତ । ଅନ୍ୟ କରୋନା ଆକ୍ରାନ୍ତଙ୍କ ଭଳି ଓମିକ୍ରନ ଆକ୍ରାନ୍ତଙ୍କୁ ରେମଡେସିଭିର ,ଷ୍ଟେରଏଡ୍ ଓ ଅନ୍ୟ ଚିକିତ୍ସା ଜାରି ରହିବ ।