ଜାତୀୟ ଗଣମାଧ୍ୟମରେ ତୃତୀୟ ସାମୁଖ୍ୟ ଚର୍ଚ୍ଚା! ଚର୍ଚ୍ଚା ବଢ଼ାଇଲା ନବୀନ-ମମତାଙ୍କ ଭେଟଘାଟ୍

131

କନକ ବ୍ୟୁରୋ: ନବୀନ ଓ ମମତାଙ୍କ ଦେଖାସାକ୍ଷତ ପରେ ଯେଉଁ ମିଳିତ ବିବୃତି ଆସିଲା, ଏଥିରେ କୁହାଗଲା- ଏହା ଏକ ସୌଜନ୍ୟମୂଳକ ସାକ୍ଷତ ଥିଲା । କିନ୍ତୁ ଗଣତନ୍ତ୍ରର ସୁରକ୍ଷା ଓ ସଂଘୀୟ ବ୍ୟବସ୍ଥାର ପ୍ରସଙ୍ଗ ଉଠାଇ, କେଉଁଠି ନା କେଉଁଠି, ସେହି ଦିଗକୁ ସୂଚାଇ ଦିଆଗଲା, ଯାହାକୁ ନେଇ ବାରମ୍ବାର ବିରୋଧୀ ମୋଦି ସରକାରଙ୍କୁ ଘେରି ଆସୁଛନ୍ତି । ଅର୍ଥାତ୍ ସୌଜନ୍ୟମୂଳକ ସାକ୍ଷାତ ଭିତରେ ବି ଦେଶର ରାଜନୈତିକ ପରିସ୍ଥିତି ଓ ଗଣତାନ୍ତ୍ରିକ ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା ।

ଜାତୀୟ ଗଣମାଧ୍ୟ କିନ୍ତୁ ଏହି ଭୋଟଘାଟକୁ ଏତେ ହାଲୁକା ଭାବେ ନେଉନି, ଯେମିତି ଏହି ଦୁଇ ନେତା କ୍ୟାମେରା ସାମ୍ନାରେ କହିଛନ୍ତି । ଏହି ଦେଖାସାକ୍ଷତକୁ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ, ତୃତୀୟ ସାମୁଖ୍ୟ ସହ ଯୋଡ଼ିବାକୁ ଉଦ୍ୟମ କରିଛି ଜାତୀୟ ଗଣମାଧ୍ୟମର ଏକାଧିକ ରିପୋର୍ଟ । ଯଦିଓ ମମତା ବାନାର୍ଜୀ ନିର୍ବାଚନକୁ ଆହୁରି ସମୟ ଅଛି ବୋଲି କହିଥିଲେ । ତଥାପି ଏହି ମନ୍ତ୍ୟବ୍ୟରେ ତୃତୀୟ ସାମୁଖ୍ୟର ବାସ୍ନା ବାରି ହୋଇଥିଲା । ହେଲେ ସମଦୂରତାର କଥା କହୁଥିବା ନବୀନ, ଏହି ପ୍ରସଙ୍ଗରୁ ଏଡାଇ ଯାଇଥିବା ସ୍ପଷ୍ଟ ଅନୁମାନ ହେଉଥିଲା । ଏହି ଚର୍ଚ୍ଚା ଭିତରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-ନବୀନ ସବୁବେଳେ ଫାଷ୍ଟ ଫ୍ରଣ୍ଟରେ ଅଛନ୍ତି, ସେ କାହିଁକି ଥାର୍ଡ ଫ୍ରଣ୍ଟକୁ ଯିବେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି- ନବୀନ ଥାର୍ଡ ଫ୍ରଣ୍ଟକୁ ଗଲେ ସ୍ୱାଗତ କରିବୁ । ଏପଟେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି- ଆମେ ସମଦୂରତା ବଜାୟ ରଖିଛୁ ।

ରାଜନୀତିରେ ସମୟ ବଳିଯିବାକୁ ବିଳମ୍ବ ଲାଗେନି । କାରଣ, ଗତକାଲି ଯାଏଁ ଥିବା, ଦେଶର ରାଜନୈତିକ ପରିସ୍ଥିତି ଆଜି ଭିତରେ ଓଲଟପାଲଟ ହୋଇଯାଇଛି, ଯେତେବେଳେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହୋଇଛି । ତେଣୁ ଆଗକୁ କ’ଣ ହେବ, ଏବେଠୁ ଆକଳନ କରିବା ହୁଏତ କଷ୍ଟକର ।