ଭାରତୀୟ ନୌସେନାର ମହିଳା ବ୍ରିଗେଡ୍: ଚିଲିକାରେ ପ୍ରସ୍ତୁତ ହେଉଛନ୍ତି ମହିଳା ଅଗ୍ନିବୀର

92

କନକ ବ୍ୟୁରୋ: ପ୍ରସ୍ତୁତ ହେଉଛନ୍ତି ଦେଶର ସୈନିକ। ଚିଲିକା ଗର୍ଭରୁ ଯୋଦ୍ଧା ହେବାର କୌଶଳ ଶିଖୁଛି ଅଗ୍ନିବୀର। ଭାରତର ପ୍ରତିରକ୍ଷା ବାହିନୀକୁ ମଜବୁତ କରିବା ପାଇଁ ଏକାଠୀ ହେଲେ ମହିଳା ଅଗ୍ନିବୀର। ଭାରତୀୟ ନୌସେନାରେ ନିଯୁକ୍ତି ପାଇଥିବା ଅଗ୍ନିବୀର ଏବେ ଚିଲିକା ଗର୍ଭରେ ନେଉଛନ୍ତି ପ୍ରଶିକ୍ଷଣ । ପାଣିକୁ ଡରୁଥିବା ଝିଅ ଆଜି ପାଣି ସହ ଖେଳୁଛି । ଘଣ୍ଟା ଘଣ୍ଟା ଧରି ପହଁରିବାର କଳା ଶିଖୁଛି। ଆଉକେତେବେଳେ ଡଙ୍ଗା ଭିତରେ ଆହୁଲା ମାରିବାର ପ୍ରଶିକ୍ଷଣ ନେଊଛି। ସୈନିକ ହେବାର ସ୍ୱପ୍ନ ଏବେ ବାସ୍ତବ ରୁପ ନେଇଛି। ଏହି ଯୋଦ୍ଧାଙ୍କ ଭିତରେ ଆମେ ଭେଟିଥିଲୁ ମହିଳା ଅଗ୍ନିବୀର ଖୁସି କୁମାରୀ ରାୟଙ୍କୁ। ବାପାଙ୍କ ଅଧୂରା ସ୍ୱପ୍ନକୁ ପୁରା କରିବାକୁ ସେ ସେନାରେ ଭର୍ତି ହୋଇଥିବା କହିଛନ୍ତି । ବିହାରର ଏକ ଛୋଟ ଗାଁରେ ତାଙ୍କ ଘର। ଭାରତୀୟ ସେନାରେ ଯୋଗ ଦେବା ପାଇଁ ଖୁସି କୁମାରୀଙ୍କ ବାପାଙ୍କ ସ୍ୱପ୍ନ ଥିଲା ଆଉ ଆଜି ସେ ସ୍ୱପ୍ନକୁ ବାସ୍ତବ ରୁପ ଦେଇଛନ୍ତି ଖୁସି।

କଲେଜରେ ସାଙ୍ଗ ସାଥୀଙ୍କ ସହ ମସ୍ତି କରିବା ବୟସରେ ଏମାନେ ଦକ୍ଷ ସୈନିକ ହେବା ପାଇଁ ନେଉଛନ୍ତି ପ୍ରଶିକ୍ଷଣ। ଏମାନଙ୍କ ଉପରେ ଦେଶ ସୁରକ୍ଷାର ଭାର , ସେଥିପାଇଁତ ଶତୃକୁ ଦମନ କରିବା ପାଇଁ କାନ୍ଧରେ ବନ୍ଧୁକ ଧରି ଶିଖୁଛନ୍ତି ଗୁଳି ଚାଳନାର କୌଶଳ।

କିଏ ସ୍ନାତ୍ତକ ସାରିଛି ତ ଆଉ କିଏ କଲେଜ ଅଧାରୁ ଚାଲିଆସିଛି ପ୍ରତିରକ୍ଷା ବାହିନୀରେ ଯୋଗ ଦେବାକୁ । ସୈନିକ ହୋଇ ଦେଶ ପାଇଁ କିଛି କରିବାର ଇଛା ଶକ୍ତି ସେମାନଙ୍କୁ ଟାଣି ଆଣିଛି ପ୍ରତିରକ୍ଷା ବାହିନୀର ଏହି ଅନୁଶାସନ ଭରା ଦୁନିଆକୁ । ଭାରତୀୟ ନୌସେନାରେ ଯୋଗ ଦେଇଥିବା ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚରେ ରହିଛନ୍ତି ୩୦୦ ମହିଳା ଅଗ୍ନିବୀର। କେହି କାହାଠାରୁ କମ ନଥିବା କହିଛନ୍ତି ନୌସେନାର ବରିଷ୍ଠ ଅଧିକାରୀ । ମାତ୍ର ୪ ମାସର ଟ୍ରେନିଂରେ ବଦଳିଯାଇଛି ଏମାନଙ୍କ ଜୀବନଶୈଳୀ। ଦେଶ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇବା ଫାଇଁ ବି ପ୍ରସ୍ତୁତ ହୋଇସାରିଛନ୍ତି ଏହି ଯୋଦ୍ଧା।