କାହିଁକି ହେଲା ବାହାନଗା ଟ୍ରେନ ଟ୍ରାଜେଡି? ୩ ଅଭିଯୁକ୍ତଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଛନ୍ତି ସିବିଆଇର ବରିଷ୍ଠ ଅଧିକାରୀ ।

186

କନକ ବ୍ୟୁରୋ: ଜୁନ୍ ୨ତାରିଖରେ କାହା ଅବହେଳାରୁ ଚାଲିଗଲା ୨୯୩ଜଣଙ୍କ ଜୀବନ? ପ୍ରାଥମିକ ତଦନ୍ତ ପରେ ରେଳବାଇର ତିନି ଜଣ କର୍ମଚାରୀଙ୍କୁ ବାନ୍ଧିଛି ସିବିଆଇ । ଏମାନଙ୍କ ବିରୋଧରେ ଅବହେଳା ଓ ପ୍ରମାଣ ନଷ୍ଟ ଭଳି ଦଫା ଲଗାଯାଇଛି । ତେବେ ଏତେ ବଡ଼ ଦୁର୍ଘଟଣା ପଛରେ କୌଣସି ଷଡଯନ୍ତ୍ର ରହିଥିଲା କି? ସେ ନେଇ ଅଧିକ ଖୋଳତାଡ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଗତକାଲିଠାରୁ ଗିରଫ ହୋଇଥିବା ତିନି କର୍ମଚାରୀଙ୍କୁ ସିବିଆଇ ରିମାଣ୍ଡରେ ନେଇଥିବା ବେଳେ ଗୁଡାଇ ତୁଡାଇ ପ୍ରଶ୍ନ କରୁଛି । ଅନୁମାନ କରାଯାଉଛି ଦୁର୍ଘଟଣାର ସତ ବାହାର କରିବାରେ ସଫଳ ହେବ ସିବିଆଇ ।

  • ୩ ଅଭିଯୁକ୍ତଙ୍କ ଚାଲିଛି ଜେରା
  • ବାହାନଗା ଦୁର୍ଘଟଣାର ସତ ଖୋଜୁଛି ସିବିଆଇ

ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିିନିୟର ଅମୀର ଖାନ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ରିମାଣ୍ଡରେ ଆଣି ତୁହାକୁ ତୁହାକୁ ଜେରା କରୁଛନ୍ତି ସିବିଆଇର ସ୍ୱତନ୍ତ୍ର ଅଧିକାରୀ । ସୁରକ୍ଷା ଦୃଷ୍ଟିରୁ ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱରର ଚନ୍ଦକା ଥାନାରେ ରଖି ପଚରାଉଚରା କରାଯାଉଛି । ସୂଚନା ଅନୁସାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଜାଣିବାକୁ ଚାହୁଁଛି…

  • ଦୁର୍ଘଟଣା ଦିନ କ’ଣ ଘଟିଥିଲା?
  • ସିଗନାଲରେ କାହିଁକି ତ୍ରୁଟି ଦେଖାଦେଲା?
  • ସେମାନେ କେତେବେଳେ ତ୍ରୁଟି ସଂପର୍କରେ ଜାଣିଲେ?
  • ସମସ୍ୟାର ସମାଧାନ ପାଇଁ କି ପଦକ୍ଷେପ ନେଇଥିଲେ?
  • ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିଲା କି?
  • ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ରହିଛି କି?
  • କିଏ ଓ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲେ?

କାହିଁକି ୩ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ?

କ’ଣ ରହିଥିଲା ସେମାନଙ୍କ ଭୂମିକା?

ପ୍ରାଥମିକ ତଦନ୍ତ ପରେ ସିଗନାଲ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ନେଇ ରିପୋର୍ଟ ଦେଇଥିଲେ ରେଳ ସୁରକ୍ଷା କମିସନ । ଅବହେଳା ହୋଇଥିବା ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଲା ବୋଲି ଉଲ୍ଲେଖ କରିଥିଲେ । ଟେକ୍ନିସିଆନ୍ ପପୁ କୁମାର ସିଗନାଲ୍ ବ୍ୟବସ୍ଥାର ତ୍ରୁଟି ସୁଧାରିଥାନ୍ତି । ଆଉ ସେକ୍ସନ୍ ଇଞ୍ଜିନିୟରଙ୍କ କାର୍ଯ୍ୟ ହେଉଛି, ଏହାର ତଦାରଖ କରିବା । ସଜଡ଼ା ଯିବା ପରେ ଯଦି ତ୍ରୁଟି ରହିଥାଏ, ତେବେ ଏ ନେଇ ପଦକ୍ଷେପ ନେବା ।

ତେବେ ଶୁକ୍ରବାର ଦିନ ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣ ରେଳ ଅଧିକାରୀଙ୍କୁ ଗିରଫ କରିବା ପରେ ୫ ଦିନିଆ ରିମାଣ୍ଡରେ ଆଣିଛି ସିବିଆଇ । ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଓ ଧାରା ୨୦୧ ଲଗାଯାଇଛି । ୧୧ ତାରିଖରେ ଅଭିଯୁକ୍ତମାନଙ୍କୁ ସିବିଆଇ କୋର୍ଟରେ ହାଜର କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।