୨୩ ତାରିଖରୁ ଅଶାନ୍ତ ରହିବ ସମୁଦ୍ର! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା, ୭୦ କିଲୋମିଟର ବେଗରେ ଝଟକା ଦେବ ପବନ!

2,619

କନକ ବ୍ୟୁରୋ: ୨୩ ତାରିଖ ସକାଳୁ ଅଶାନ୍ତ ହୋଇଉଠିବ ସମୁଦ୍ର । ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଏପଟେ ୨୩ରୁ ୨୫ ଯାଏଁ ଉତର ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ୭୦ କିଲୋମିଟର ବେଗରେ ଝଟକା ଦେଇପାରେ ପବନ । ୨୨ରେ ଲଘୁଚାପ ଦାନା ବାନ୍ଧୁଥିବା ବେଳେ ୨୪ତାରିଖରେ ଏହା ନେଇପାରେ ଅବପାତର ରୂପ । ତେବେ ବାତ୍ୟା ହେବ କି ନାହିଁ କିଛି ସ୍ପଷ୍ଟ କରିନାହିଁ ଭାରତୀୟ ପାଣିପାଗ ବିଭାଗ ।

ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ବଙ୍ଗୋପସାଗରରେ ଦାନା ବନ୍ଧୁଛି ଲଘୁଚାପ । ଏ ହେଉଛି ସାଟେଲାଇଟ୍ ଦ୍ୱାରା ଉଠା ଯାଇଥିବା ଚିତ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଘେରି ରହିଛି ବାଦଲ । ଘୂର୍ଣ୍ଣିବଳୟ ସୃଷ୍ଟି ପାଇଁ ବାତାବରଣ ଅନୁକୂଳ ରହିଛି ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଉତର-ପୂର୍ବ ଦିଗରେ ଗତି କରିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନିଭୂତ ହୋଇ ନେଇପାରେ ଅବପାତ ରୂପ । ବାତ୍ୟା ହେବ କି ନାହିଁ, ଯଦି ହେବ ତୀବ୍ରତା କେତେ ରହିବ, ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହିଁ ଭାରତୀୟ ପାଣିପାଗ ବିଭାଗ । କିନ୍ତୁ କିଛି ଅନ୍ତର୍ଜାତୀୟ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛି । ତେବେ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି –

୨୩ ତାରିଖ ସକାଳୁ ଅଶାନ୍ତ ହୋଇଉଠିବ ସମୁଦ୍ର
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
୨୩ ତାରିଖ ପୂର୍ବରୁ ସମୁଦ୍ରରୁ ଫେରି ଆସିବାକୁ ପରାମର୍ଶ
ମେ’ ମାସରେ ସମ୍ଭାବ୍ୟ ବାତ୍ୟା ନେଇ ଉପକୂଳବାସୀଙ୍କ ମନରେ ଛନକା ସୃଷ୍ଟି ହୋଇଥିବା ବେଳେ ଲଘୁଚାପ ଓ ଅବପାତ ଯୋଗୁଁ ବର୍ଷା ଓ ପବନ ନେଇ ସତର୍କ କରିଛି ପାଣିପାଗ ବିଭାଗ ।
ପ୍ରବଳ ବର୍ଷା ଆଶଙ୍କା
୨୩ ଓ ୨୪ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷା ଆଶଙ୍କା
କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ
କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା
୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ଆଶଙ୍କା
କେବଳ ବର୍ଷା ନୁହେଁ ପବନର ଝଟକା ନେଇ ମଧ୍ୟ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
୭୦ କିମି ବେଗରେ ଝଟକା!
୨୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଂଟା ପ୍ରତି ପବନର ବେଗ ରହିପାରେ ୪୦ରୁ ୫୦ କିଲୋମିଟର
ମଝିରେ ମଝିରେ ଦେଇପାରେ ୬୦ କିଲୋମିଟର ବେଗରେ ଝଟକା
୨୪ ତାରିଖରୁ ଉତ୍ତର ବଙ୍ଗୋପସାଗରରେ ପବନର ବେଗ ବୃଦ୍ଧି ପାଇବ
ଘଂଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା
୭୦ କିଲୋମିଟର ବେଗରେ ଦେଇପାରେ ଝଟକା

ସମୁଦ୍ରର ଉପର ଭାଗର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିଥିବା ବେଳେ ପୂର୍ବ ଦିଗକୁ ଗତି କରୁଛି ବାଦଲ । ଉତ୍ତାପ ସହ ଜଳୀୟ ବାଷ୍ପ ନିରନ୍ତର ଭାବେ ପ୍ରବାହିତ ହେଉଥିବାରୁ ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି ।