କୋରାପୁଟରେ ଆରମ୍ଭରୁ ଝୁଣ୍ଟିଲାଣି ମଣ୍ଡି । କଟନୀ ଛଟନୀକୁ ବିରୋଧ କରିବାରୁ ଧାନ ନକିଣି ମଣ୍ଡିରୁ ଚାଲିଗଲେ ମିଲର ।

244

କନକ ବ୍ୟୁରୋ: ସରକାର ବଦଳିଗଲେ କିନ୍ତୁ ମଣ୍ଡିରେ ବଦଳିଲା ନାହିଁ କଟନି ଛଟନି । କ୍ୱିଣ୍ଟାଲ ପିଛା ୫ କେଜି କଟନି ନ କଲେ ଧାନ ଉଠାଇବୁ ନାହିଁ କହି ମଣ୍ଡିରୁ ଚାଲିଗଲେ ମିଲର । ଜଳକା ହୋଇ ରହିଲେ ଆରଏମସି ଓ ଲ୍ୟାମ୍ପସ୍ କର୍ମଚାରୀ । ହତାସ ହୋଇ ରହିଲା ଚାଷୀ । ଏଭଳି ଖବର ଆସିଛି ଜୟପୁର ବ୍ଳକର ଆରଏମସି ମଣ୍ଡିରୁ ।

  • ନୂଆ ଦର ମିଳିବ, ନୂଆ ନିୟମ ହେବ
  • ଆଉ ଚାଷୀଙ୍କୁ ଠକି ପାରିବେ ନାହିଁ ଦଲାଲ
  • ହେଲେ ଜୟପୁରରେ ଆରମ୍ଭରୁ ଝୁଣ୍ଟିଲାଣି ମଣ୍ଡି
  • କଟନି ଛଟନିରେ ଅଟକିଗଲା ମଣ୍ଡି
  • ମଣ୍ଡିରେ ମିଲରଙ୍କ ଦାଦାଗିରି ଅଭିଯୋଗ

ଚଳିତ ରବି ମଣ୍ଡିରେ ଧାନ ବିକିବା ନେଇ ଟୋକନ ପାଇଥିବା ଚାଷୀ ଧାନ ନେଇ ଆସିଥିଲେ । ୩୦ରୁ ୪୦ ଚାଷୀ କଟନୀ କଟନିକୁ ବିରୋଧ କରିବାରୁ ମିଲର ମଣ୍ଡି ଛାଡ଼ି ଚାଲି ଯାଇଛନ୍ତି । ସରକାର ବଦଳିଗଲେ କିନ୍ତୁ ମିଲର ବଦଳିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ ।

ଚଳିତ ବର୍ଷ କୋରାପୁଟ ଜିଲ୍ଳାରେ ୬୩ଟି ରବି ମଣ୍ଡି ହୋଇଛି । ଟୋକନ ହିସାବରେ ଧାନ କିଣିବାକୁ ବିଭିନ୍ନ ସ୍ଥାନରେ ମଣ୍ଡି ଗଠନ କରାଯାଇଛି । ଲ୍ୟାମ୍ପସ ଧାନ କିଣିବେ, ମାନ ନିର୍ଦ୍ଧାରଣ କରିବ ଆରଏମସି କର୍ମଚାରୀ । ଦୈନିକ ୫ ହଜାର କ୍ୱିଣ୍ଟାଲ ଧାନ କିଣିବା ନେଇ ଲକ୍ଷ୍ୟ ରହିଛି । ତେବେ ପ୍ରଥମ ଦିନରେ ବିଲକୁଲ୍ ଧାନ କିଣା ହୋଇନାହିଁ । ଚାଷୀ କଟନୀ ଛଟନୀକୁ ବିରୋଧ କରୁଥିବା ବେଳେ ଜୟପୁର ବିଧାୟକ ଚାଷୀଙ୍କୁ ସମର୍ଥନ ଜଣାଇଛନ୍ତି ।

ତେବେ ସରକାର ବଦଳିବା ପରେ ମଣ୍ଡିରେ ଆଉ ଦଲାଲ ରାଜ ଚାଲିବ ନାହିଁ, ବିନା କଟନୀ ଛଟନୀରେ ଚାଷୀ ଧାନ ବିକିବେ ବୋଲି ଆଶା ରଖିଥିଲେ । ହେଲେ କୋରାପୁଟ ଜିଲ୍ଲାରେ ରବି ଧାନ କିଣା ହେବା ଆରମ୍ଭରୁ ଝୁଣ୍ଟିଲାଣି ମଣ୍ଡି ।