ବୈଠକରୁ ବାହାରିଲାନି ସମାଧାନର ବାଟ । ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କଲା ବ୍ୟବସାୟୀ ସଂଘ ।

222

କନକ ବ୍ୟୁରୋ: ଏବେ ଖୋଲିବନି ମାର୍କେଟ ବିଲ୍ଡିଂ । ବୈଠକରେ କୌଣସି ପ୍ରକାର ନିଷ୍କର୍ସ ବାହାରିନପାରିବା କାରଣରୁ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି । ତେବେ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ହିଁ ଯାଇ ମାର୍କେଟ ଖୋଲିବ ବୋଲି କହିଛନ୍ତି ସଭାପତି ପ୍ରଦ୍ୟୁମ୍ନ ଜେନା । ତେବେ ବିବାଦ ନେଇ ଗତକାଲି ମଧ୍ୟାହ୍ନରେ ବୈଠକ ବସିଥିଲା । ଏହାପରେ ସନ୍ଧ୍ୟାରେ ବିଏମସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଘୋଷଣା କରାଯାଇ ମାର୍କେଟ ବିଲ୍ଡିଂ ଭିତରେ ଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରିଦିଆଯାଇଥିଲା । ହେଲେ ଏହାପରେ ମଧ୍ୟ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ଅଡିବସିଛନ୍ତି ସେ ଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତା ।

ସୂଚନାଯୋଗ୍ୟ ଯେ, ଉଠା ଦୋକାନୀଙ୍କ ଦୋରାତ୍ମ୍ୟ ବଢୁଥିବା ଦେଖି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ସ୍ୱତଃପ୍ରବୃତ ଭାବେ ମାର୍କେଟକୁ ବନ୍ଦ ଘୋଷଣା କରିଥିଲେ । ଏହାପରେ ବିଏମସି ତରଫରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏନେଇ ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ମାର୍କେଟ ବନ୍ଦ ରହିବ ବୋଲି ବ୍ୟବସାୟୀ ସଂଘ କହିଛି ।

ତେବେ ସୂଚନା ଅନୁସାରେ, ମାର୍କେଟ୍ ବିଲ୍ଡିଂ ଭିତରେ ଦୁଇପାର୍ଶ୍ବରେ ଥିବା ଦୋକାନର ମଝି ସ୍ଥାନରେ ଉଠା ଦୋକାନୀମାନେ ବସୁଛନ୍ତି । ଏକ ଡ୍ରେସ୍‌ ସୋ’ରୁମ୍ ଆଗରେ ଜଣେ ମହିଳା ଚପଲ ଦୋକାନ କରି ବସୁଥିଲେ । ସେହି ସ୍ଥାନକୁ ସେ ୩ ଶହ ଟଙ୍କାରେ ଭଡ଼ା ନେଇଥିବା କହୁଛନ୍ତି । ଗତ କିଛି ମାସ ହେଲା ସେହି ସ୍ଥାନକୁ ସେ ଅନ୍ୟ ଜଣଙ୍କୁ ଭଡ଼ାରେ ଦେଇଥିଲେ । ସପ୍ତାହେ ତଳେ ମହିଳା ଜଣଙ୍କ ସେହି ଉଠାଦୋକାନୀଙ୍କୁ ଉଠି ଯିବାକୁ କହିଥିଲେ । କିନ୍ତୁ ସମ୍ପୃକ୍ତ ସୋ’ରୁମ୍ ତାଙ୍କୁ ଭଡ଼ା ଦେଇଥିବା ସେ କହିଥିଲେ । ଏହାକୁ ନେଇ ବିବାଦ ଉପୁଜିଥିଲା । ଏନେଇ ସେ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ ।

ସେହିପରି ସୋମବାର ମହିଳାଜଣଙ୍କ ନିଜେ ସେଠାରେ ନିଜ ଦୋକାନ ଖୋଲିଥିଲେ। କିନ୍ତୁ ଦୋକାନ ଖୋଲିବାକୁ ଯିବା ସମୟରେ ସମ୍ପୃକ୍ତ ସୋ’ରୁମ୍‌ର ଏକ ସ୍କୁଟି ରହିଥିଲା। ମହିଳା ସମ୍ପୃକ୍ତ ସୋ’ରୁମ୍ ମାଲିକଙ୍କୁ ଯାଇ ଘଟଣା ସମ୍ପର୍କରେ ପଚାରିଥିଲେ । ସେମାନଙ୍କ ଭିତରେ ପାଟିତୁଣ୍ଡ ହେବାରୁ ସେ ସ୍କୁଟିକୁ ଠେଲି ଫୋପାଡ଼ି ଦେଇଥିଲେ । ଏହାକୁ ନେଇ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ଉଠାଦୋକାନୀ-ବ୍ୟବସାୟୀ ସଂଘ ମୁହାଁମୁହିଁ ହୋଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ, ବିଏମ୍‌ସି କିଛି ଶୁଣୁ ନ ଥିବା ଅଭିଯୋଗ କରି ବ୍ୟବସାୟୀ ସଂଘ ସୋମବାର ଅପରାହଣ ୨ଟା ପରଠାରୁ ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିଦେଇଥିଲେ ।