ପରିଚାଳନା କମିଟି ବୈଠକରେ ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ, ଏଜେଣ୍ଡାରେ ନଥିବାରୁ ହେଲାନି ଆଲୋଚନା  

45

କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବା ପାଇଁ ଚାରିଆଡୁ ଦାବି ହେଉଥିବାରୁ ଓ ମରାମତି ପାଇଁ ଏଏସଆଇ ଚିଠି ଲେଖିଥିବାରୁ ଅନୁମାନ କରାଯାଉଥିଲା, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗରେ ଏଥର ଆଲୋଚନା ହେବ । ଆଉ ରତ୍ନଭଣ୍ଡାର ଖୋଲିବା ନେଇ ବାଟ ଫିଟିବ । ରତ୍ନଭଣ୍ଡାର ଖୋଲିବା ପାଇଁ ପରିଚାଳନା କମିଟିରେ ନିଷ୍ପତି ନିଆଯିବ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ବୈଠକ ଆରମ୍ଭରେ ରତ୍ନଭଣ୍ଡାର ଖୋଲିବା ନେଇ ଏଏସଆଇ ଅଧିକାରୀଙ୍କୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ, ପ୍ରଶ୍ନ କରିବା ପରେ ଆଶା ଆହୁରି ବଢ଼ିଯାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏଜେଣ୍ଡାରେ ରତ୍ନଭଣ୍ଡାର ପ୍ରସଙ୍ଗ ନଥିବାରୁ ଏ ନେଇ କୌଣସି ଆଲୋଚନା କରାଯାଇନାହିଁ । ରତ୍ନଭଣ୍ଡାର ଖୋଲିବାକୁ ଦୀର୍ଘଦିନ ହେବ ଦାବି ହୋଇଆସୁଛି । ରତ୍ନଭଣ୍ଡାରର ସୁରକ୍ଷା ପାଇଁ ମରାମତିର ବି ଆବଶ୍ୟକ ରହିଛି । ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ କି ନାହିଁ ତାହା ଯାଞ୍ଚ ହେବାର ଆବଶ୍ୟକତା ରହିଛି । ତଥାପି ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗ, ଏଜେଣ୍ଡାରେ ନଥିବାରୁ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇନଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଚାରିଆଡୁ ଦାବି ସତ୍ତେ୍ୱ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା ନହେବା ସାଧାରଣ ଲୋକଙ୍କ ସନ୍ଦେହକୁ ବଢ଼ାଇ ଦେଇଛି । ସାଧାରଣରେ ପ୍ରଶ୍ନ ଉଠୁଛି, ଦୀର୍ଘ ୩୭ବର୍ଷ ହେଲା ମହାପ୍ରଭୁଙ୍କ ରତ୍ନର ଯାଞ୍ଚ ହୋଇନଥିଲେ ବି କାହିଁକି ଖୋଲିବାକୁ ତତ୍ପରତା ଦେଖାଉନି ଶ୍ରୀମନ୍ଦିର ପ୍ରଶାସନ? କାହିଁକି ହସ୍ତକ୍ଷେପ କରୁନାହାଁନ୍ତି ରାଜ୍ୟ ସରକାର? ରତ୍ନଭଣ୍ଡାରର ନଖୋଲିବା ପଛରେ କିଛି ନିର୍ଦ୍ଧିଷ୍ଟ କାରଣ ରହିଛି କି? ନା ମହାପ୍ରଭୁଙ୍କ ରତ୍ନ ଚୋରି ହୋଇଯାଇଥିବା ନେଇ ଯେଉଁ ଅଭିଯୋଗ ହେଉଛି ସେଥିରେ ସତ୍ୟତା ରହିଛି?