କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଲାଗିଲା ଗ୍ରହଣ । ବଦଳିପାରେ ମୋଡ,ଲଢିପାରନ୍ତି ନୂଆ ଚେହେରା

133

କନକ ବ୍ୟୁରୋ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଦୃଢ ଦାବିଦାର ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବେ ଅଡ଼ୁଆରେ । ଅଶୋକ ଗେହଲଟ୍ଙ୍କ ଉପରେ କ୍ଷୁବ୍ଧ ହାଇକମାଣ୍ଡ । ନିର୍ବାଚନ ରେସରୁ ଗେହଲଟ ଓହରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ସେପ୍ଟେମ୍ବର ୩୦ ତାରିଖରେ ନିର୍ବାଚନ ପାଇଁ ଶଶି ଥରୁରୁ ନାମାଙ୍କନ ଭରିବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ରାଜସ୍ଥାନ ସଙ୍କଟ ମଧ୍ୟରେ ଜୟପୁରରୁ ଫେରିଥିବା ପର୍ଯ୍ୟବେକ୍ଷକ ଆଜି ସୋନିଆ ଗାନ୍ଧୀଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିବେ ।

ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ କିଛି ଦିନ ହେବ ଯେଉଁ ଛକାପଂଝା ଚାଲିଥିଲା ସେଥିରେ ପ୍ରତ୍ୟକ ଦିନ କିଛି ନା କିଛି ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ରାଜ୍ୟ ରାଜନୀତି କନ୍ଦଳ ଏବେ ଯାଇ ପହଁଚିଛି ଦିଲ୍ଲୀ ଦରବାରରେ । ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଗେହେଲଟ ରାଜି ହୋଇଥିଲେ ସତ କିନ୍ତୁ ଏହା ବଦଳରେ ସେ ଯେଉଁ ବିକଳ୍ପ ବାଛିିଲେ ଏହାକୁ ଦଳ ସହଜରେ ହଜମ କରିପାରିନି । ତେଣୁ କଂଗ୍ରେସ ଏଆଇସିସି ଅଧ୍ୟକ୍ଷ ପଦର ପ୍ରଥମ ଦାବିଦାର କୁହାଯାଉଥିବା ଅଶୋକ ଗେହଲଟ ନିର୍ବାଚନ ରେସରୁ ଓହରିଯାଇଥିବା ନେଇ ଜୋର ଧରିଛି ଚର୍ଚ୍ଚା । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପ୍ରଥମେ କନ୍ଦଳ, ପରେ ବିଦ୍ରୋହ ଓ ଅଶୋକ ଗେହଲଟଙ୍କ ନାଁରେ ଅଭିଯୋଗ ଆସିବା ପରେ ସେ ରେସରକୁ ବାଦ ପଡିଥିବା କୁହାଯାଉଛି  । ସେପ୍ଟେମ୍ବର ୩୦ରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ସରୁଛି ଓ ସେପଯ୍ୟନ୍ତ ରାଜସ୍ଥାନରେ ସ୍ଥିତି ବଜାୟ ରଖିବାକୁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରାଜସ୍ଥାନ କନ୍ଦଳ ଦୂର ପାଇଁ ପଠାଯାଇଥିବା ଦୁଇ ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମଲ୍ଲିକାଜୁର୍ନ ଖଡଗେଙ୍କୁ ହାଇକମାଣ୍ଡ ରିର୍ପୋଟ ମାଗିଛନ୍ତି ।

ଗେହେଲଟ ନିର୍ବାଚନ ରେସରୁ ବାଦ ପଡିବା ନେଇ ଚର୍ଚ୍ଚା ହେଉଛି । ଯଦି ପ୍ରକୃତରେ ସେ ଆଉ ନିର୍ବାଚନ ନ ଲଢନ୍ତି ତେବେ ଦଳ ପାଖରେ ଅନ୍ୟ କିଛି ବିକଳ୍ପ ନାଁ ରହିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ଦିଗବିଜୟ ସିଂଙ୍କ ସହ ମଲ୍ଲିକାର୍ଜୁନ ଖଡଗେଙ୍କ ପରି ନାଁ କରା ଚେହେରା ରହିଛି । ସେପଟେ ଘଡିସନ୍ଧି ମୁହୁର୍ତରେ ଶଶି ଥରୁରୁ ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲ କରିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ଗେହେଲଟ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚଚନ ଲଢିବାକୁ ପ୍ରସ୍ତୁତ ହେଉଥିବେଳେ ସଚିନ ପାଇଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଧରିଲା । ଏହି ଖବର ପରେ ଗେହଲଟ ଗୋଷ୍ଠୀ ବିଦ୍ରୋହ ଆରମ୍ଭ କରିଥିଲେ । ସଚିନ ପାଇଲଟଙ୍କୁ ବିରୋଧ କରି ଗେହଲଟ ଶିବିରର ୯୦ରୁ ଅଧିକ ବିଧାୟକ ଇସ୍ତଫା ଧମକ ଦେଇଥିଲେ । ଆଉ ରାଜସ୍ଥାନର ରାଜନୈତିକ ହଟଚମଟ ପଛରେ ଗେହଲଟଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ଗେହେଲଟଙ୍କୁ ହଟାଇ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଅଜୟ ମାକେନ ଷଡଯନ୍ତ୍ର କରଥିବା ଅଭିଯୋଗ ହୋଇଥିଲା