ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍ । ୫ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ ବିରାଟ, ମଧ୍ୟକ୍ରମକୁ ନେଇ ଚିନ୍ତାରେ ଦଳ

130

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଭାରତ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ । ବକ୍ସିଂ ଡେ’ରେ ମୁହାଁମୁହିଁ ହେବେ ଉଭୟ ଦଳ । ପ୍ରଥମ ଟେଷ୍ଟରୁ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି କୋହଲି ବାହିନୀ । ଉଭୟ ଦଳ ଟେଷ୍ଟ ସିରିଜ୍ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ରାହୁଲ ଦ୍ରାବିଡ଼ଙ୍କ ଅଧିନରେ ପ୍ରଥମ ଥର ଭାରତୀୟ ଦଳ ବିଦେଶରେ ଟେଷ୍ଟ ସିରିଜ୍ ଖେଳିବ । ନ୍ୟୁଜିଲାଣ୍ଡକୁ ଘରୋଇ ଗ୍ରାଉଣ୍ଡରେ ହରାଇବା ପରେ ଭାରତୀୟ ଦଳର ମନୋବଳ ଦୃଢ ରହିଛି । ହେଲେ ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଘରୋଇ ମାଟିରେ ହରାଇବା ଏତେ ସହଜ ହେବ ନାହିଁ ।
ଦକ୍ଷିଣ ଆଫ୍ରିକାର ସିନିଅର ଖେଳାଳି ଅବସର ନେବା ପରେ ସେମାନଙ୍କ ସ୍ଥାନ ପୂରଣ ପାଇଁ ପରୀକ୍ଷା ନିରୀକ୍ଷା ଚାଲିଛି । ବ୍ୟାଟିଂ ବିଭାଗରେ ସମସ୍ୟା ଥିଲେ ମଧ୍ୟ ବୋଲିଂ ବିଭାଗ ସୁଦୃଢ ରହିଛି । ଏପଟେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ୨ ବର୍ଷ ହେବ ତାଙ୍କ ବ୍ୟାଟ୍ରୁ ଶତକୀୟ ଇନିଂସ ଦେଖିବାକୁ ମିଳିନାହିଁ । ନେତୃତ୍ୱ ବିଭାଜନକୁ ନେଇ ସେ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଏପରି ସ୍ଥିତିରେ କୋହଲି ସମର୍ଥକ ବଡ଼ ଇନିଂସ ଆଶା ରଖିଛନ୍ତି । ଭାରତୀୟ ଦଳ ଚୂଡାନ୍ତ ଏକାଦଶ ଘୋଷଣା କରିନଥିଲେ ବି ୫ ଜଣ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ । ଅଶ୍ୱିନ୍ ଏକମାତ୍ର ସ୍ପିନରେ ଭାବେ ଦଳରେ ସ୍ଥାନ ପାଇପାରନ୍ତି । ମଧ୍ୟ ଭାଗ ଚୟନକୁ ନେଇ ଚିନ୍ତାରେ ରହିଛି ଟିମ୍ ଇଣ୍ଡିଆ । ରାହାଣେ ଫର୍ମରେ ନାହାନ୍ତି । ଶ୍ରେୟସ ଆୟର ଓ ହନୁମା ବିହାରୀ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ତେଣୁ ଚୂଡାନ୍ତ ଏକାଦଶରେ କାହାକୁ ସାମିଲ କରାଯିବ ତାହା ଉପରେ ନଜର ରହିବ ।