ଦୀପାବଳିରେ ଆସୁଛି ବାତ୍ୟା! ଘୂର୍ଣ୍ଣିବଳୟ ୨୩ ତାରିଖ ବେଳକୁ ସାମୁଦ୍ରିକ ଝଡର ରୂପ ନେବା ନେଇ ଆଇଏମଡିର ଆକଳନ।

282

କନକ ବ୍ୟୁରୋ: ଉତ୍ତର ଆଣ୍ଡାମାନ ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ୨୩ ତାରିଖ ବେଳକୁ ସାମୁଦ୍ରିକ ଝଡର ରୂପ ନେବ । ଆଉ ଦୀପାବଳି ବେଳକୁ ସମୁଦ୍ର ଭିତରେ ଅଧିକ ବଳ ଗୋଟାଇ ଆଗକୁ ଗତି କରିବ । ଏମିତି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏନେଇ ସ୍ପଷ୍ଟ କରିଛନ୍ତି ନିଜେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । କନକ ନ୍ୟୁଜକୁ ସାକ୍ଷାତକାର ଦେଇ କହିଛନ୍ତି, କାଲି ରାତି କିମ୍ବା ପରଦିନ ସକାଳ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ନିକଟସ୍ଥ ଆଣ୍ଡାମାନ ଦୀପପୁଞ୍ଜ ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋଗସାଗର ନିକଟ ଏବଂ ଦକ୍ଷିଣ ବଙ୍ଗୋପସାଗରରେ ୨୨ତାରିଖରେ ଅବପାତରେ ପରିଣତ ହେବ । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଯାହାକି ଆନ୍ଧ୍ରପ୍ରଦେଶ ଉପକୂଳରୁ ୨ଶହ କିଲୋମିଟର ଦୂର ସମୁଦ୍ର ଭିତରେ କେନ୍ଦ୍ରୀଭୂତ ରହିବ । ସମୁଦ୍ର ଭିତରର ସ୍ଥିତି ଅନୁକୂଳ ଥିବାରୁ ସେହି ସ୍ଥାନରେ ଅବପାତଟି ବାତ୍ୟାର ରୂପ ନେବ ।

କିନ୍ତୁ ବାତ୍ୟାଟି କେଉଁ ଅଞ୍ଚଳ ଦେଇ ଯିବ, କେଉଁ ସ୍ଥାନରେ ଅତିକ୍ରମ କରିବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନାହିଁ । ଘୂର୍ଣିର୍ବଳୟ ଅବସ୍ଥାରେ ଥିବାରୁ ଆଗାମୀ ଦିନରେ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇଏମଡି ଡିଜି । ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଆଇଏମଡି ପକ୍ଷରୁ କୌଣସି ସ୍ପଷ୍ଟ ଚିତ୍ର ଦିଆଯାଇନଥିଲେ ବି ଇସିଏମଡବ୍ଲ୍ୟୁଏଫ, ଜିଏଫଏସ ଓ ଆଇକନ ଭଳି ପାଣିପାଗ ମଡେଲ ସମ୍ଭାବ୍ୟ ଗତିପଥ ଆକଳନ କରିଛନ୍ତି । ଆଉ ସେମାନଙ୍କ ମଡେଲକୁ ଆଧାର କରି ପାଣିପାଗ ସଂସ୍ଥା ୱିଣ୍ଡି ପକ୍ଷରୁ ସାଂକେତିିକ ଭାବରେ ବାତ୍ୟାର ଗତିପଥ ଦର୍ଶାଯାଇଛି ।

ଇସିଏମଡବ୍ଲ୍ୟୁଏଫର ଆକଳନ ଅନୁସାରେ ବାତ୍ୟାଟି ୨୫ତାରିଖରେ ଓଡିଶା ଉପକୂଳ ଦେଇ ସମୁଦ୍ର ଭିତରେ ଆଗକୁ ଗତି କରିବ । ଏହି ସମୟରେ ପାରାଦୀପ, ଧାମରା, ବାଲେଶ୍ୱରରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ । ୨୬ତାରିଖରେ ଓଡିଶା , ବାଂଲାଦେଶ ମଝିରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ । ଜିଏଫଏସ ମଡେଲର ଆକଳନ ଅନୁସାରେ ୨୪ତାରିଖ ବେଳକୁ ବାତ୍ୟାଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ନିକଟରେ ସମୁଦ୍ର ଭିତରେ ଅତିକ୍ରମ କରିପାରେ । ୨୫ତାରିଖରେ ପାରାଦୀପ, ଧାମରା, ବାଲେଶ୍ୱର ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ । ବାତ୍ୟା ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ୨୩ରେ ସ୍ୱଳ୍ପ ୨୪ ଓ ୨୫ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅର୍ଥାତ ଦୀପାବଳିକୁ ବର୍ଷା ଭିଜେଇବ । ତେବେ ସମ୍ଭାବ୍ୟ ବାତ୍ୟା ସୁପରସାଇକ୍ଲୋନର ରୂପ ନେବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି । ଏଥିସହ ସମ୍ଭାବ୍ୟ ବାତ୍ୟାକୁ ଦେଇ ସତର୍କ କରିଛି ପାଣିପାଗ ବିଭାଗ ।