ଦୂର ହେବ ଖାଦ୍ୟ ସଙ୍କଟ । ଖାଦ୍ୟଶସ୍ୟ ରପ୍ତାନୀ ପାଇଁ ଶେଷରେ ସହମତି ଦେଲେ ରୁଷ ଓ ୟୁକ୍ରେନ୍

243

କନକ ବ୍ୟୁରୋ: ଦୂର ହେବ ଖାଦ୍ୟ ସଙ୍କଟ । ଖାଦ୍ୟ ଶସ୍ୟ ରପ୍ତାନୀ ପାଇଁ ଶେଷରେ ସହମତି ଦେଲେ ରୁଷ ଓ ୟୁକ୍ରେନ୍ । ଗତ ଫେବ୍ରୁୟାର ୨୪ତାରିଖରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବା ଭିତରେ ଦୁଇ ଦେଶ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି ।

କୃଷ୍ଣସାଗର ପଥ ଦେଇ ଜାହାଜରେ ଖାଦ୍ୟଶସ୍ୟ, ସାର ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶୁକ୍ରବାର ଏହି ଚୁକ୍ତି ସ୍ୱାକ୍ଷର ହୋଇଛି । ମସ୍କୋ ଓ କିଭ୍ ମଧ୍ୟରେ ତୁର୍କୀ ଓ ଜାତିସଂଘ ମଧ୍ୟସ୍ଥତା କରି ଏହି ରାଜିନାମାକୁ ସଫଳ କରିଛନ୍ତି । ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗି ଶୋଇଗୁ ଓ ୟୁକ୍ରେନ ମନ୍ତ୍ରୀ ଓଲେକଜାଣ୍ଡାର, ଜାତିସଂଘ ମହାସଚିବ ଆଂଟୋନିଓ ଗୁଟେରସ ଏବଂ ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଆକରଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି ।

ଏହି ଚୁକ୍ତି ସ୍ୱାକ୍ଷର ହେବା ଫଳରେ ୟୁକ୍ରେନ ୨୨ନିୟୁତ ଟନ୍ ଖାଦ୍ୟଶସ୍ୟ ଓ ଅନ୍ୟ କୃଷି ସାମଗ୍ରୀ କୃଷ୍ଣସାଗର ଦେଇ ବିଶ୍ୱ ବଜାରକୁ ପରିବହନ କରିପାରିବ, ଯାହାକି ଫେବ୍ରୁୟାରୀ ୨୪ରେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରଠାରୁ ବନ୍ଦ ଥିଲା । ଏହି ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ଜାତିସଂଘ ମହାସଚିବ ଆଂଟୋନିଓ ଗୁଟେରସ ଓ ତୁର୍କୀ ରାଷ୍ଟ୍ରପତି ରେସେପ୍ ତୟିପ ଏର୍ଡୋଗାନ ଇସ୍ତାନବୁଲରେ ଉପକ୍ଷ ପକ୍ଷକୁ ନେଇ ମଧ୍ୟସ୍ଥତା କରିବାକୁ ଯୋଜନା କରିଥିଲେ । ରୁଷିଆ ଓ ୟୁକ୍ରେନର ସାମରିକ ପ୍ରତିନିଧି ଦଳ ଗତ ସପ୍ତାହରେ ଏନେଇ ସହମତି ପ୍ରକାଶ କରିଥିଲେ । ରାଜିନାମା ସ୍ୱାକ୍ଷର ହେବା ମାତ୍ରେ ବିଶ୍ୱ ବଜାରରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ହ୍ରାସ ପାଇବା ଆରମ୍ଭ ହୋଇଛି ।