ଖୋଲିବାରେ ଲାଗିଛି ଜାମତାରା ଗ୍ୟାଙ୍ଗର ଗୁମର । ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସଂଗ୍ରହ ପରେ କରୁଥିଲେ ଫୋନ୍, ଲୁଟୁଥିଲେ ଟଙ୍କା

157

କନକ ବ୍ୟୁରୋ: ଭୁବନେଶ୍ୱରରୁ ଜାମତରା ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ପଚରା ଉଚରା କରୁଛି । ତେବେ ଜମତାରା ଗ୍ୟାଙ୍ଗର ଏହି ତିନି ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ, କିପରି ସେମାନେ ଠକୁଥିଲେ, କିପରି ଲୋକଙ୍କୁ ଲୁଟୁଥିଲେ, ତାହା ଏବେ ସାମ୍ନାକୁ ଆସିଛି । ଏକ ଯୋଜନାବଦ୍ଧ ଓ ଚତୁର ଉପାୟରେ ଲୋକଙ୍କୁ ଚୂନ ଲଗାଉଥିଲେ ଏହି ଠକମାନେ ।

କେମିତି ଠକୁଥିଲେ ଜମତାରା ଗ୍ୟାଙ୍ଗ, ଟିକିଏ ନଜର ପକାନ୍ତୁ

  • ସାଇବର ଠକମାନେ ବିଭିନ୍ନ ସୂତ୍ରରୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ତଥ୍ୟ ସଂଗ୍ରହ କରୁଥିଲେ
  • ସେମାନଙ୍କୁ କଲ୍ କରିବା ସହ ଏସଏମଏସ ପଠାଉଥିଲେ
  • କେୱାଇସି ଅପଡେଟ୍ ନକଲେ ଆକାଉଣ୍ଟ ବନ୍ଦ ହୋଇଯିବ, କୌଣସି ଅନଲାଇନ୍ ଟ୍ରାଞ୍ଜାକସନ ହୋଇପାରିବ ନାହିଁ ବୋଲି ଭୟ ଦେଖାଉଥିଲେ
  • ଯିଏ ଏମାନଙ୍କ ଜାଲରେ ପଡ଼ି ଏସଏମଏସରେ ଦିଆଯାଇଥିବା ଲିଙ୍କରେ କ୍ଲିକ କଲା କିମ୍ବା ଠକଙ୍କୁ ଓଟିପି ଦେଲା, ତାଙ୍କ ଆକାଉଣ୍ଟ ସଫା ହୋଇଯାଉଥିଲା
  • ଠକମାନେ ଏହି ସବୁ କାମ ପାଇଁ ନିଜ ମଧ୍ୟ ଭାଗବଣ୍ଟା କରିନେଇଥିଲେ
  • ଜଣେ ଗ୍ରାହକମାନଙ୍କ ତଥ୍ୟ ସଂଗ୍ରହ କରୁଥିଲା
  • ଅନ୍ୟ ଜଣେ ଏସଏମଏସ୍ ପଠାଉଥିଲା
  • ତୃତୀୟ ଜଣକ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ହରଣଚାଲ କରୁଥିଲା

ଠକଙ୍କ ହାତକୁ କେମିତି ଆସୁଥିଲା ଆପଣଙ୍କ ନମ୍ବର ?

ସପିଂ ମଲ କିମ୍ବା ରେଷ୍ଟୁରାଣ୍ଟ କିମ୍ବା ଅନ୍ୟ ବ୍ୟବସାୟିକ ସଂସ୍ଥାରେ ଆପଣମାନେ ଯେଉଁ ନମ୍ବର ଦିଅନ୍ତି, ତାହା ଏମାନେ କୌଣସି ପ୍ରକାରେ ହାତେଇନିଅନ୍ତି । କର୍ମଚାରୀଙ୍କୁ ଧରି ହେଉ କିମ୍ବା ଦଲାଲ ମାଧ୍ୟମରେ ଟଙ୍କା ଦେଇ ମୋବାଇଲ ନମ୍ବର ଓ ଆକାଉଣ୍ଟ ସମ୍ପର୍କରେ କିଛି ତଥ୍ୟ କିଣି ନିଅନ୍ତି । ତାପରେ ଏହି ମୋବାଇଲ ନମ୍ବରରେ କଲ କରନ୍ତି । ହୁଏତ ଶହେଟି ନମ୍ବରକୁ କଲ କଲେ ୨ରୁ ୪ ଜଣ ଏମାନଙ୍କ ଜାଲରେ ପଡ଼ିଯିବାର ଆଶଙ୍କା ଥାଏ ।

ଏହି ଠକମାନଙ୍କ କବଳରୁ ବର୍ତ୍ତିବାକୁ କେଉଁ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ଧ୍ୟାନ ଦିଅନ୍ତୁ

  • ସର୍ଭେ ପାଇଁ ଦିଅନ୍ତୁ ନାହିଁ ବ୍ୟକ୍ତିଗତ ସୂଚନା
  • ଅଫର ଲୋଭରେ ପଡନ୍ତୁ ନାହିଁ
  • ଆଧାର କାର୍ଡ, ପାନ କାର୍ଡ ତଥ୍ୟ ଅଜଣା ଲୋକଙ୍କୁ ଦିଅନ୍ତୁ ନାହିଁ
  • ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ
  • ‘ଏନି ଡେକ୍ସ’ ଆପରେ କାହା ସହ ଯୋଗାଯୋଗ କରନ୍ତୁ ନାହିଁ
  • ବ୍ୟାଙ୍କ ସହ ଜଡିତ ସୂଚନା ଦିଅନ୍ତୁ ନାହିଁ
  • କୌଣସି ପରିସ୍ଥିତିରେ ସେୟାର କରନ୍ତୁନି ଓଟିପି

ଏହି ସାଇବର ଠକ ଗ୍ୟାଙ୍ଗ ଜଣକ ପରେ ଜଣକୁ ଲୁଟି ଚାଲିଥିଲେ । ଖାଲି ଓଡ଼ିଶା ନୁହେଁ ବରଂ ଦେଶର ୨୦ଟି ରାଜ୍ୟର ଲୋକଙ୍କୁ ଠକିଛନ୍ତି ଏମାନେ । ଏପରିକି ୧୭୧ଟି ଠକେଇ ମାମଲାରେ ଏହି ତିନି ଅପରାଧୀ ସମ୍ପୃକ୍ତ ଥିବାର ପ୍ରମାଣ ପାଇଛି ତଦନ୍ତକାରୀ ଦଳ । ସ୍ମାର୍ଟ ସିଟିରେ ଡେରା ପକାଇଥିବା ଜମତାରା ଗ୍ୟାଙ୍ଗର ଉଦେଶ୍ୟ କ’ଣ ଥିଲା, ତାର ତଥ୍ୟ ହାସଲ କରିବା ପାଇଁ ଅଭିଯୁକ୍ତମାନଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ ।