ବିଦାୟୀ ମନ୍ତ୍ରୀଙ୍କୁ ବୁଝାଇଲେ ମୁଖ୍ୟମନ୍ତ୍ରୀ। ଦଳକୁ ସୁଦୃଢ଼ କରିବା ପାଇଁ ସାଙ୍ଗଠନିକ କାର୍ଯ୍ୟ କର: ନବୀନ

189

କନକ ବ୍ୟୁରୋ: ନବୀନନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମନ୍ତ୍ରିମଣ୍ଡଳରୁ ବାଦ ପଡିଥିବା ବିଦାୟୀ ମନ୍ତ୍ରୀ । ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତି ପାଣିଗ୍ରାହୀ, ପଦ୍ମନାଭ ବେହେରା, ରଘୁନନ୍ଦନ ଦାସ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ, ପ୍ରେମାନନ୍ଦ ନାୟକ ଓ ପଦ୍ମିନୀ ଦିଆନ, ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଥିବାରୁ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସଙ୍ଗଠନ ଦାୟିତ୍ୱ ବୁଝିବା ପାଇଁ କହିଛନ୍ତି ।

ପ୍ରଦର୍ଶନ ଓ ବିବାଦରେ ଥିବା ମନ୍ତ୍ରୀମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଥିବା ଚର୍ଚ୍ଚା ଭିତରେ, ବିଦାୟୀ ମନ୍ତ୍ରୀଙ୍କୁ ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ମନ୍ତ୍ରିମଣ୍ଡଳ ଅଦଳବଦଳ ସ୍ୱାଭାବିକ ପ୍ରକ୍ରିୟା । ପ୍ରଦର୍ଶନ ଆଧାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇନାହିଁ । ରୋଟେସନ ବେସିସରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହୁଏ । ଆପଣ ଦଳ ପାଇଁ କାମ କରନ୍ତୁ । ଆଗକୁ ୨୦୨୪ ନିର୍ବାଚନ ରହିଛି । ସଂଗଠନ କଥା ବୁଝନ୍ତୁ । ଦୁଇ ଚାରି ଦିନ ଭିତରେ ସଂଗଠନ ଦାୟିତ୍ୱ ଦିଆଯିବ ।

ମୁଖ୍ୟମନ୍ତ୍ରୀ ବିଦାୟୀ ମନ୍ତ୍ରୀମାନଙ୍କୁ ମ୍ୟାନେଜ କରିବା ପାଇଁ ଆଶ୍ୱାସନା ଦେଇଥିଲେ ବି କିଛି ନେତାଙ୍କ ଭିତରେ ଥିବା ଅବଶୋଷ ସାମନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଫେରିବା ପରେ ବିଦାୟୀ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, ତାଙ୍କର ଅବଶୋଷ ରହିଗଲା, ଜଗତସିଂହପୁର ଜିଲ୍ଲାରୁ କାହାକୁ ମନ୍ତ୍ରୀ କରାଯାଇଥିଲେ ଭଲ ହୋଇଥାନ୍ତା । ମନ୍ତ୍ରିମଣ୍ଡଳ ପରେ ନବୀନଙ୍କ ଦ୍ୱିତୀୟ ପ୍ଲାନ ରହିଛି ସଙ୍ଗଠନକୁ ତୃଣମୂଳସ୍ତରରୁ ଆହୁରି ମଜବୁତ କରିବା । ଆଉ ଏଥିପାଇଁ ନବୀନ ଖୁବଶୀଘ୍ର ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରିବେ ବୋଲି କୁହାଯାଉଛି । ଆଉ ବାଦ ପଡିଥିବା ମନ୍ତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇ ସଙ୍ଗଠନକୁ ଶାଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।