ଦିଲ୍ଲୀରେ ଓଡ଼ିଶା ବିକାଶର ବ୍ଲୁପ୍ରିଣ୍ଟ୍ । ୩ ଦିନିଆ ଦିଲ୍ଳୀ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୋହନ ମାଝୀ ।

159

କନକ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି, ସରକାର ବଢ଼ିବା ପରେ ଦିଲ୍ଳୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଏବଂ ପ୍ରଭାତି ପରିଡ଼ା । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାକ୍ଷାତ କରିଛନ୍ତି ।

  • ଦିଲ୍ଲୀରେ ଓଡ଼ିଶା ବିକାଶର ବ୍ଲୁପ୍ରିଣ୍ଟ!
  • ମୋଦୀଙ୍କୁ ଭେଟିଲେ ମୋହନ ମାଝୀ
  • ଦୁଇ ଉପ-ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

ଯଦିଓ ଏହାକୁ ସୌଜନ୍ୟମୂଳକ ସାକ୍ଷତ ବୋଲି କୁହାଯାଉଛି, ତଥାପି ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ରହିଛି । କାରଣ, ନିର୍ବାଚନ ସମୟରେ ମୋଦୀ ଦେଇଥିବା ଗ୍ୟାରେଣ୍ଟି ଓ ଓଡ଼ିଶାର ବିକାଶ ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ ଏହି ଗସ୍ତରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାକୁ କିଭଳି ରାଜ୍ୟରେ ମୋହନ ସରକାର କାର୍ଯ୍ୟକାରୀ କରିବେ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥାଇପାରନ୍ତି । ଡବଲ ଇଞ୍ଜିନ୍ ସରକାର ଗଠନ ପରେ କେମିତି ଓଡ଼ିଶା ଲୋକଙ୍କ ଆସ୍ଥା ଭାଜନ ହୋଇପାରିବେ ନୂଆ ସରକାର ସେ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ସାକ୍ଷାତ କରିବା ମଧ୍ୟ ଅନେକ ସମ୍ଭାବନା ସୃଷ୍ଟି କରିଛି । ବିକାଶମୂଳକ ପ୍ରକଳ୍ପ ପାଇଁ ଅର୍ଥ, ଓଡ଼ିଶା ପାଇଁ ନୂଆ ଯୋଜନାର ପରିକଳ୍ପନା, ସୁଭଦ୍ରା ଯୋଜନା ଓ ଏମଏସପି ବୃଦ୍ଧି ନେଇ କେନ୍ଦ୍ରୀୟ ସହାୟତା ସମ୍ପର୍କରେ ଆଲୋଚନାର ସମ୍ଭାବନା ସୃଷ୍ଟି କରିଛି ଏହି ଗସ୍ତ ।

ସେହିପରି ଜାତୀୟ ରାଜପଥ ସଂପ୍ରସାରଣ ଓ ପ୍ରଶସ୍ତିକରଣ ଏବଂ ସାଗରମାଳା ଭଳି ଏକାଧିକ ପ୍ର୍ରକଳ୍ପ ସମର୍କରେ ଆଲୋଚନା ସୃଷ୍ଟି କରିଛି ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ । ତେବେ ଏହି ତିନି ତିନିଆ ଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ, ମୋଦୀ କ୍ୟାବିନେଟର ଏକାଧିକ ମନ୍ତ୍ରୀ ଓ ବିଜେପିର ଅନେକ ବରିଷ୍ଠ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଢ଼ିଥିବା ବେଳେ ସାମ୍ନାରେ ଅଛନ୍ତି ଏକ ଶକ୍ତିଶାଳୀ ବିରୋଧୀ । ତେଣୁ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ଅଭିଜ୍ଞ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ । ଏହି ଗସ୍ତ ଅବସରରେ ଅନେକ ନେତାଙ୍କୁ ଭେଟି ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।