କେନାଲ ପାଲଟିଛି ଡ୍ରେନ । ବର୍ଷ ବର୍ଷ ଧରି ଶୁଖିଲା ପଡିଛି ଜମି, ଦୋଫସଲି ବଦଳରେ ଟାଙ୍ଗରା ପଡିଛି ଜମି । ଜଳ କର ଦେଇ ହତାଶ ଚାଷୀ 

33

କନକ ବ୍ୟୁରୋ: ଆଷାଢ଼ ମାସରେ ଓଡିଶାକୁ ଛୁଇଁଛି ମୌସୁମୀ। ମୌସୁମୀ ବାୟୁ ପାଇଁ ବୌଦ୍ଧ ଜିଲ୍ଲାରେ ବର୍ଷା ହୋଇଛି । କିନ୍ତୁ ଚାଷ ପାଇଁ ଆବଶ୍ୟକୟ ବର୍ଷା ହୋଇପାରିନାହିଁ। ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ଅଡୁଆରେ ପକାଇ ଦେଇଛି। ସେପଟେ କ୍ଷୁଦ୍ର ଜଳସେଚନ ବିଭାଗର କେନାଲ ମରାମତି ଅଭାବରୁ କେନାଲ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବେ ଶହ ହେକ୍ଟର ଚାଷଜମି ମରୁଭୂମି ପାଲଟିଛି ।

  • କେନାଲ ପାଲଟିଛି ଡ୍ରେନ
  • ବର୍ଷବର୍ଷ ଧରି ଶୁଖିଲା ପଡିଛି
  • ଦୋଫସଲି ବଦଳରେ ଟାଙ୍ଗରା ପଡିଛି ଜମି
  • ଜଳ କର ଦେଇ ହତାଶ ଚାଷୀ 

୨୦୦୧ ମସିହାରୁ ନିର୍ମାଣ ହୋଇଥିବା ବୌଦ୍ଧ ହରଭଙ୍ଗା ବ୍ଲକ ଗାନ୍ଧୀ କେନାଲ ଅବସ୍ଥା ଏବେ ଚାଷୀଙ୍କ ବିନାଶର କାରଣ ପାଲଟିଛି। କେନାଲ ଉପରେ ତିଲେସ୍ଵର, ମୂଷାଡ, ରାମଗଡ଼, ଧଳପୁର, ଛେଳିଲେଣ୍ଡି ଗାଁର ଚାଷୀ ନିର୍ଭର କରନ୍ତି। ସଠିକ୍ ଢଙ୍ଗରେ କେନାଲର ମରାମତି କରାଯାଉନଥିବା ନେଇ ବାରମ୍ବାର ଅଭିଯୋଗ ପରେ ବି ଫଳଶୂନ। କେନାଲର ପୁନଃଉଦ୍ଧାର ହୋଇପାରୁନାହିଁ । ଫଳରେ ଦୋଫସଲି ଚାଷ ପାଇଁ ୫ ଖଣ୍ଡ ଗାଁର ଚାଷୀଙ୍କ ଚିନ୍ତା ବଢି ଯାଇଛି।

ଗାନ୍ଧୀ କେନାଲ ମରାମତି ପାଇଁ ୨୩ ବର୍ଷ ମଧ୍ୟରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚାଷୀଙ୍କ ଅଭିଯୋଗ, ପ୍ରତିବର୍ଷ ବର୍ଷା ଦିନର ଶେଷ ଆଡକୁ ତରବରିଆ ଭାବେ ର-ଠ କରି କାମ କରି ମିଥ୍ୟା ବିଲ ଜରିଆରେ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର। ଦୁର୍ନୀତିର ଚେର ବିଭାଗର ତଳସ୍ତର କର୍ମଚାରୀ ଠାରୁ ଆରମ୍ଭ କରି ଯନ୍ତ୍ରୀ ଓ ଉଚ୍ଚ ପଦାଧିକାରୀ ପର୍ଯ୍ୟନ୍ତ ଲମ୍ବିଥିବା ଅଭିଯୋଗ କରିଛନ୍ତି ଚାଷୀ।

ଅନ୍ୟପଟେ ଜିଲ୍ଲା ସମସ୍ତ କେନାଲ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ ଯେ.ସୋନାଲ।