ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଆଗାମୀ ୫ ବର୍ଷ ମଧ୍ୟରେ ଯାତ୍ରୀଙ୍କୁ ମିଳିବ କେବଳ କନଫର୍ମ ଟିକେଟ । 

506

ଭାରତରେ ଟ୍ରେନ ଯାତ୍ରା କରିବାବେଳେ ସିଟ ଖଣ୍ଡେ ପାଇବାକୁ ପ୍ରାୟତଃ ସମସ୍ତେ କେବେ ନା କେବେ ଅଜବ ପରିସ୍ଥିତିର ସାମ୍ନା କରିଥିବେ । ଟ୍ରେନରେ ଯାତ୍ରା ସମୟରେ କନଫର୍ମ ଟିକଟ ମିଳିବ ନା ନାହିଁ ଏହାକୁ ନେଇ ସବୁବେଳେ ଟ୍ରେନ ଯାତ୍ରୀ ଦ୍ୱନ୍ଦ୍ୱରେ ରହିଥାନ୍ତି । ୱେଟିଂ ଟିକଟ ଥିବା ଯାତ୍ରୀମାନେ କନଫର୍ମ ଟିକଟ କେତେବେଳେ ପାଇବେ ସେ ପ୍ରୟାସରେ ରହୁଥିବାବେଳେ ରେଳ ଯାତ୍ରୀଙ୍କ ପାଇଁ ଆସିବାକୁ ଯାଉଛି ଖୁସି ଖବର । କାରଣ ଆଗାମୀ ୫ ବର୍ଷ ମଧ୍ୟରେ ରେଳ ମନ୍ତ୍ରାଳୟ ଏଭଳି କିଛି ବ୍ୟବସ୍ଥା ଆଣିବାକୁ ଯାଉଛି ଯେତେବେଳେ ଆପଣ ଟିକଟ କରିବାକୁ ଯିବେ ତ କେବଳ କନଫର୍ମ ଟିକଟ ହିଁ ପାଇବେ ।

ରେଳ ବୋର୍ଡର ଅଧ୍ୟକ୍ଷ ବିନୋଦ ଯାଦବ ଏକ ସାକ୍ଷାତକାରରେ କହିଛନ୍ତି ଯେ କିଛି ବର୍ଷ ଧରି ଟିକଟ ପାଇବାକୁ ନେଇ ଦେଖାଯାଉଥିବା ସମସ୍ୟା ଉପରେ ବିଚାରବିମର୍ଷ କରାଯାଉଛି । ରେଳ ମନ୍ତ୍ରାଳୟ ଆଗାମୀ ୫ ବର୍ଷ ମଧ୍ୟରେ କେବଳ କନଫର୍ମ ଟିକଟ ଦେବାକୁ ବିଚାର କରୁଛି । ସବୁଠାରୁ ବ୍ୟସ୍ତ ମାର୍ଗରେ ଏଭଳି ବ୍ୟବସ୍ଥାକୁ ପ୍ରଥମେ ଲାଗୁ କରାଯିବ। ରେଳ ଅଧିକାରୀଙ୍କ ସୂଚନା ମୁତାବକ କନଫର୍ମ ଟିକଟ ଜାରି ବ୍ୟବସ୍ଥା ଦିଲ୍ଲୀରୁ ମୁମ୍ବାଇ, କୋଲକାତା ଓ ଚେନ୍ନାଇ ରୁଟ ପାଇଁ ପ୍ରଥମେ ଆରମ୍ଭ କରାଯିବ।

ସବୁଠାରୁ ଅଧିକ ଯାତ୍ରୀ ଏହି ମାର୍ଗ ଦେଇ ଯାଉଥିବାରୁ ରେଳ ମନ୍ତ୍ରାଳୟ ଏହି ରୁଟରେ ଅଧିକ ଟ୍ରେନ ଚଳାଇ କନଫର୍ମ ଟିକଟ ଦେବାକୁ ଯୋଜନା କରିପାରେ। ବଡ଼କଥା ଯେ ଟିକଟ ସହଜରେ ନ ମିଳିବା ଯୋଗୁଁ ଅଧିକାଂଶ ଯାତ୍ରୀ ଏବେ ବିମାନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି । ତେବେ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସରେ ଟିକଟ ମିଳିବା ସହଜ ହୋଇଥିବା ବେଳେ ଅନ୍ୟ ଟ୍ରେନମାନଙ୍କରେ ୱେଟିଂ ଲିଷ୍ଟ ହିଁ ମିଳୁଛି। ଯେଉଁଥିପାଇଁ ଅଧିକ ଟ୍ରେନ ଚଳାଇ ଏହାକୁ ସୁଧାରିବାକୁ ରେଳ ବୋର୍ଡ ଏବେ ଚିନ୍ତା କରୁଛି ।  ସରକାରଙ୍କ ଏହି ନୂଆ ବ୍ୟବସ୍ଥା ଯାତ୍ରୀଙ୍କୁ ଲାଭଦାୟକ ସାବ୍ୟସ୍ତ ହୋଇପାରେ ।