ତେଲେଙ୍ଗାନାରେ ହେବ କି ବିଜେପି ଓ ଜନସେନା ପାର୍ଟି ମଧ୍ୟରେ ମେଣ୍ଟ । ଅମିତ୍ ଶାହାଙ୍କୁ ପବନ କଲ୍ୟାଣ ଭେଟିବା ପରେ ବଢିଲା ଚର୍ଚ୍ଚା

140

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଅଭିନେତା ପବନ କଲ୍ୟାଣଙ୍କ ପାର୍ଟି ଜନସେନା ବିଜେପି ସହ ମେଣ୍ଟ କରିବ ବୋଲି ପୂର୍ବରୁ ଆଲୋଚନା ହେଉଥିଲା । ହେଲେ ଆଜି ପବନ କଲ୍ୟାଣ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ମେଣ୍ଟ ଓ ଆସନ ଭାଗବଣ୍ଟା ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର ସୂଚନା ମୁତାବକ ଜନସେନା ପାର୍ଟିର ରାଜନୈତିକ ମାମଲା ସମିତିର ଅଧ୍ୟକ୍ଷ ନାନ୍ଦେଦେଲା ମନୋହର ସହିତ ପବନ କଲ୍ୟାଣ ମିଳିତ ଭାବେ ଭେଟିଛନ୍ତି ।

ସୂତ୍ର ସୂଚନା ମୁତାବକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଜେପି ତେଲେଙ୍ଗାନା ଅଧ୍ୟକ୍ଷ ଜି.କିଶନ ରେଡ୍ଡୀ ଓ ପବନ କଲ୍ୟାଣଙ୍କୁ ତେଲେଙ୍ଗାନା ନିର୍ବର୍ାଚନ ପାଇଁ ମିଳିତ ଭାବେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅମିତ୍ ଶାହା ଶୁକ୍ରବାର ଦିନ ତେଲେଙ୍ଗାନାରେ ସରଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୋଲିସ ଏକାଡେମୀରେ ଆୟୋଜିତ ହେବାକୁ ଥିବା ଭାରତୀୟ ପୋଲିସ ସେବା ପ୍ରୋବେଶନର୍ସ ର ୭୫ ତମ ବ୍ୟାଚର ପାସିଂ ଆଉଟ ପରେଡର ସମୀକ୍ଷା କରିବେ ।

ସେପେଟ ଜନସେନା ପାର୍ଟି ତରଫରୁ ପୂର୍ବରୁ କୁହାଯାଇଛି କି ଦଳ ତେଲେଙ୍ଗାନା ନିର୍ବାଚନରେ ୩୨ଟି ଆସନରେ ପ୍ରାର୍ଥୀ ଦେବ । ଏଥିରେ ସର୍ବାଧିକ ଅବିଭାଜିତ ହାଇଦ୍ରାବାଦ, ମହବୁବନଗର, ଖମ୍ମମ, ମେଡକ ଓ ନଲଗୋଣ୍ଡା ଜିଲ୍ଲାରେ ପ୍ରାର୍ଥୀ ଦେବା ପାଇଁ ଦଳ ଇଚ୍ଛୁକ ।