ସରକାରଙ୍କ ଚାକିରି ସର୍ତାବଳୀ ବିରୋଧରେ ଶିକ୍ଷକଙ୍କ ଗର୍ଜନ : କହିଲେ, ଦାବି ପୂରଣ ନହେଲେ ବିଜେପୁରରେ ପହଂଚିବ ଆନ୍ଦୋଳନ

25

କନକ ବ୍ୟୁରୋ : ସରକାରଙ୍କ ସର୍ତାବଳୀ ସତ୍ୟପାଠ ବିରୋଧରେ ରାଜରାସ୍ତାରେ ହଜାର ହଜାର ଶିଷକଙ୍କ ପ୍ରତିବାଦ । କାଲି ପୁରୀରୁ ବାହାରିଥିବା ବିଶାଳ ପଟୁଆର ଆଜି ପହଁଚିଛି ଭୁବନେଶ୍ୱର ଲୋୟର ପିଏମଜିରେ । ରାଜଧାନୀରେ ହୋଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ମହାସମାବେଶ । ଯଦି ଦାବି ପୂରଣ ନହୁଏ, ତେବେ ବିଜେପୁର ଯାଇ ବିଜେଡି ବିରୋଧରେ ପ୍ରଚାର କରିବା ପାଇଁ ଧମକ ଦେଇଛନ୍ତି ବ୍ଳକ ଗ୍ରାଂଟ୍ ଶିକ୍ଷକ ।

ବ୍ଲକ ଗ୍ରାଂଟ ଶିକ୍ଷକମାନେ ଗ୍ରାଂଟ ଇନ୍ ଏଡ ପାଇବାକୁ ହେଲେ ସରକାର ଯେଉଁ ସର୍ତ ରଖିଛନ୍ତି, ତାକୁ ମାନିବାକୁ ନାରାଜ ମିଳିତ ମଂଚ । ବ୍ୟକ୍ତିଗତ ସତ୍ୟପାଠରେ ସାମ୍ବିଧାନିକ ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରିଛନ୍ତି ଶକ୍ଷକ । ଚାକିରି ସର୍ତାବଳୀ , ସପ୍ତମ ବେତନ କମିସନ ଓ ପେନସନ୍ ଲାଗୁ ପାଇଁ ଦାବି କରିଛନ୍ତି ଶିକ୍ଷକ ସଂଘ । ଶିଷକ ସଂଘ ଚେତାବନୀ ଦେଇଛି, ଯଦି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଦାବି ପୂରଣ ନହୁଏ, ତେବେ ରାଜ୍ୟର ପ୍ରାୟ ୫ହଜାରରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ତାଲା ଝୁଲିବ । ଆଗାମୀ ମାଟ୍ରିକ ପରୀଷାରେ ଶିକ୍ଷକମାନେ ସହଯୋଗ କରିବେ ନାହିଁ ବୋଲି ଧମକ ଦିଆଯାଇଛି ।

ଗତ ବର୍ଷ ଅଗଷ୍ଟ ମାସରେ ଶିକ୍ଷକଙ୍କ ଆନ୍ଦୋଳନ ପରେ ବ୍ଳକ ଗ୍ରାଂଟ ଉଚ୍ଛେଦ କରି ଗ୍ରାଂଟ୍ ଇନ୍ ଏଡ ଘୋଷଣା କରିଥିଲେ ସରକାର । ତେବେ ଗ୍ରାଂଟ୍ ଇନ୍ ଏଡ୍ ପାଇବାକୁ ହେଲେ ସରକାରଙ୍କ ସର୍ତ ମାନିବାକୁ ପଡିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ନେଇ ତାତି ଉଠିଛନ୍ତି ଶିକ୍ଷକ ।