ମୋଦୀଙ୍କୁ ଭେଟିବା ପରେ ସାଂସଦ ପ୍ରତାପ ଷଡଙ୍ଗୀକୁ ନେଇ ଚର୍ଚ୍ଚା: ପୁଣି ଥରେ ମନ୍ତ୍ରୀପଦ ମିଳିବା ନେଇ ଆଲୋଚନା

153

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ପାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ତେବେ ହଠାତ ଦୁଇ ନେତାଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ବଢିଛି । ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସାଂସଦମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ସାରି ପ୍ରଧାନମନ୍ତ୍ରୀ ଯାଉଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ହଠାତ୍ ମୋଦୀଙ୍କର ନଜର ପଡ଼ି ଥିଲା । ଏହି ଭେଟଘାଟ ବେଳେ ପ୍ରତାପ ଷଡ଼ଙ୍ଗୀ ନିଜ ସଂସଦୀୟ କ୍ଷେତ୍ରରେ ଅଧିକାଂଶ ସମୟ ରହୁଛି ବୋଲି କହିଥିଲେ । ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପିଏମ୍ଓ ଆସି ଭେଟିବାକୁ କହିଥିଲେ ।

ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିବା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଆଲୋଚନା ସାରି ପ୍ରତାପ ଷଡ଼ଙ୍ଗୀ ବାହାରକୁ ଆସିବାପରେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ପ୍ରତିକ୍ରିୟାରେ କହିଛନ୍ତି । ୨୦୧୯ରେ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ଶ୍ରୀ ଷଡ଼ଙ୍ଗୀଙ୍କୁ ସାମିଲ କରିଥିଲେ । ସଂସଦରେ ସଂସ୍କୃତରେ ଶପଥପାଠ, ବିଭିନ୍ନ ଅଧିବେଶନରେ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ସଂସ୍କୃତ ଓ ଇଂରାଜୀରେ ଓଜସ୍ୱିନୀ ଭାଷଣ ଦେଇ ବାଲେଶ୍ୱର ସାଂସଦ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ତାଙ୍କୁ ରାଜ୍ୟ ବିଜେପି ସଭାପତି କରିବା ନେଇ ମଧ୍ୟ ଏବେ ଆଲୋଚନା ହେଉଛି । ଏବେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଖରୁ ଡାକରା ଆସିବା ପରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି ।