ତାଲିବାନୀ ସରକାରର ନୂଆ ନିୟମ । ଏକାକୀ ଦୂର ଜାଗାକୁ ଯାତ୍ରା କରିପାରିବେନି ମହିଳା । ଦୂରଯାତ୍ରା ପାଇଁ ସାଙ୍ଗରେ ପୁରୁଷ ବନ୍ଧୁ ରହିବା ବାଧ୍ୟତାମୂଳକ ।

98

କନକ ବ୍ୟୁରୋ: ମହିଳାଙ୍କ ପାଇଁ ପୁଣି ନୂଆ ନିୟମ ଆଣିଲା ତାଲିବାନ । ଏଣିକି ଆଫଗାନିସ୍ତାନରେ ରହୁଥିବା ମହିଳାମାନେ କୌଣସି ଦୂର ଜାଗାକୁ ଏକାକୀ ଯାତ୍ରା କରିପାରିବେ ନାହିଁ । ଦୂର ଜାଗାକୁ ଯାତ୍ରା କରିବାକୁ ହେଲେ ମହିଳାଙ୍କୁ କୌଣସି ପୁରୁଷଙ୍କ ସହିତ ଯିବାକୁ ପଡିବ ବୋଲି ନୂଆ ନିୟମ ଜାରି କରିଛି ତାଲିବାନୀ ସଙ୍ଗଠନ । ତେବେ ମିଳିଥିବା ସୂଚନା ମୁତାବକ, ରବିବାର ଜାରି କରାଯାଇଥିବା ଏହି ଗାଇଡଲାଇନରେ ଆହୁରି କିଛି ନୂଆ ନିୟମକୁ ମଧ୍ୟ ସାମିଲ କରାଯାଇଛି ।

ନୂଆ ନିୟମ ମୁତାବକ, କୌଣସି ଗାଡି ମାଲିକ ନିଜ ଗାଡିରେ ହିଜାବ ପିନ୍ଧି ନଥିବା ମହିଳାଙ୍କୁ ଯାତ୍ରା ପାଇଁ ଅନୁମତି ଦେଲେ, ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ହିଜାବ ପିନ୍ଧିଥିବା ମହିଳାମାନେ ହିଁ ଗାଡିରେ ଯାତ୍ରା କରିପାରିବେ । ତେବେ ତାଲିବାନର ଏଭଳି ନିୟମକୁ ଏବେ ଚାରିଆଡେ ନିନ୍ଦା କରାଯାଇଛି ।

ଯେତେବେଳେ ତାଲିବାନୀମାନେ ଆଫଗାନିସ୍ତାନ ଉପରେ କବଜା କରିବା ସହିତ ସରକାର ଗଠନ କରିଥିଲେ । ସେତେବେଳେ ସେମାନେ କହିଥିଲେ ଯେ, ଏହି ସରକାରରେ ସେମାନେ ମହିଳାଙ୍କୁ ଉଚିତ୍ ସ୍ୱାଧୀନତା ପ୍ରଦାନ କରିବେ । ହେଲେ ବର୍ତ୍ତମାନ ଆଣିଥିବା ଏହି ଆଇନରେ ମହିଳାଙ୍କ ସ୍ୱାଧୀନତାକୁ ସଙ୍କୁଚିତ କରାଯାଇଥିବା ଦେଖିବାକୁ ମିଳୁଛି । ଏହାପୂର୍ବରୁ ତାଲିବାନୀ ସରକାର ସେଠାକାର ଟେଲିଭିଜନରେ ମହିଳା ଅଭିନେତ୍ରୀଙ୍କ ନାଟକ ଚଲାଇବାକୁ ମଧ୍ୟ ବାରଣ କରିଥିଲା ।

ତାଲିବାନର ଏହି ନୂଆ ନିୟମ ପରେ ମାନବାଧିକାର କମିଶନ ଏହାକୁ ନିନ୍ଦା କରିଛି । ନୂଆ ନିୟମରେ ମହିଳାଙ୍କୁ କଏଦୀ ଭଳି ବ୍ୟବହାର କରାଯାଇଛି ବୋଲି କୁହାଯାଇଛି । ମହିଳା ଅଧିକାର ସମୁହର ଆସୋସିଏଟ୍ ନିର୍ଦ୍ଦେଶକ ହୀଥର ବର୍ଥ କହିଛନ୍ତି, କୌଣସି ସ୍ଥାନକୁ ଯିବା ଜଣେ ବ୍ୟକ୍ତିର ସ୍ୱାଧୀନତା । ଏହି ନୂଆ ନିୟମ ଘର ଭିତରେ ମହିଳାଙ୍କ ପ୍ରତି ହିଂସାକୁ ବଢାଇବ ।

ଏହି ମାସରେ ତାଲିବାନୀମାନେ ନିଜ ସର୍ବୋଚ୍ଚ ନେତାଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶ ଜାରି କରିଥିଲେ । ଏହି ନିର୍ଦ୍ଦେଶରେ ମହିଳାଙ୍କ ଅନେକ ଅଧିକାରକୁ ପୁଣି ଲାଗୁ କରିବାକୁ କୁହାଯାଇଥିଲା । ହେଲେ ମହିଳାମାନଙ୍କର ଶିକ୍ଷାକୁ ନେଇ ଏହି ନିର୍ଦ୍ଦେଶରେ କିଛି ବି ଉଲ୍ଲେଖ କରାଯାଇନଥିଲା । ରବିବାର ଏହି ଘଟଣାକୁ ନେଇ ତାଲିବାନୀ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ଅବଦୁଲ ବକି ହକ୍କାନୀ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ମହିଳାଙ୍କ ଶିକ୍ଷା ବିରୋଧୀ ନୁହଁ । ଆମେ କେବଳ ଝିଅଙ୍କ ସହ ପୁଅଙ୍କ ଶିକ୍ଷାର ବିରୋଧୀ ଅଟୁ ।