ଆହତ କାରଣରୁ ରୋହିତ ଦିନିକିଆ ସିରିଜରୁ ବାଦ୍ ପଡିଲେ ମଧ୍ୟ କୋହଲିଙ୍କୁ ମିଳିବନି କ୍ୟାପଟେନ ଦାୟିତ୍ୱ! ଜାଣନ୍ତୁ କେଉଁ ଖେଳାଳୀଙ୍କୁ ଦାୟିତ୍ୱ ଦେଇପାରେ ବିସିସିଆଇ?

189

କନକ ବ୍ୟୁରୋ : ବିରାଟଙ୍କ ନେତୃତ୍ୱରେ ଏବେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଖେଳୁଛି ଟିମ୍ ଇଣ୍ଡିଆ । ତେବେ ଏହି ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ରୋହିତ ଶର୍ମା ଆହତ ହୋଇ ସିରିଜରୁ ବାଦ୍ ପଡିଥିଲେ । ରୋହିତଙ୍କ ବଦଳରେ ରାହୁଲଙ୍କୁ ଟେଷ୍ଟ ଟିମର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ତେବେ ଆହତ ସମସ୍ୟାରୁ ଏଯାବତ ମୁକୁଳିପାରିନଥିବା ରୋହିତ ଯଦି ଦିନିକିଆ ସିରିଜରୁ ବାଦ୍ ପଡନ୍ତି ତେବେ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆକୁ ମୈଦାନକୁ ଓହ୍ଲାଇବାକୁ ପଡିବ ।

ରୋହିତ ଯଦି ସିରିଜରୁ ବାଦ୍ ପଡନ୍ତି ତେବେ ତେବେ କୋହଲିଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ଦେବାର ସମ୍ଭାବନା ଯଥେଷ୍ଟ କ୍ଷୀଣ । କାରଣ କୋହଲିଙ୍କ ଠାରୁ ଅଧିନାୟକ ପଦ ଯିବା ପରେ ଯେଉଁ ବିବାଦ ଦେଖାଦେଇଥିଲା ତାହାକୁ ନେଇ ବିସିସିଆଇ ବିରାଟଙ୍କ ଉପରେ ବେଶ ଖପ୍ପା ଅଛି । ଏହାବାଦ୍ ଥରେ ଅଧିନାୟକ ପଦରୁ ହଟାଯିବା ପରେ ପୁଣିଥରେ ଉକ୍ତ ଖେଳାଳୀଙ୍କ ଟିମ୍ ଇଣ୍ଡିଆର ଅଧିନାୟକ ଭାର ମିଳିବା ଖୁବ କ୍ୱଚିତ୍ ଦେଖିବାକୁ ମିଳେ ।

ଏଭଳି ସ୍ଥିତିରେ ରୋହିତଙ୍କ ଅନୁପସ୍ଥିତିରେ ରାହୁଲଙ୍କୁ ଦଳର ଅଧିନାୟକ କରାଯାଇପାରେ । କାରଣ ରୋହିତ ଓ ବିରାଟଙ୍କ ପରେ ଦଳରେ ରାହୁଲ ହିଁ ସିନିୟର ଖେଳାଳୀ ରହିଛନ୍ତି । ଏହାପୂର୍ବରୁ ମଧ୍ୟ ରାହୁଲଙ୍କୁ ମଧ୍ୟ ଅଧିନାୟକ ଭୂମିକାରେ ଅନେକଥର ଦେଖିବାକୁ ମିଳିଛି । ଖାସକରି ଆଇପିଏଲରେ ପଞ୍ଜାବ କିଙ୍ଗସର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି ରାହୁଲ । ଏପରିକି ତାଙ୍କ ଅଧିନାୟକତ୍ୱରେ ଦଳ ମଧ୍ୟ ବେଶ ଭଲ ପ୍ରଦର୍ଶନ କରିଛି । ତେଣୁ ରୋହିତଙ୍କ ଅନୁପସ୍ଥିତିରେ ରାହୁଲ ହିଁ ଅଧିନାୟକ ପଦ ପାଇଁ ବଡ ଦାବିଦାର ଭାବେ ଉଭା ହୋଇପାରନ୍ତି ।

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ରୋହିତ ଶର୍ମା ମଧ୍ୟ ମୁମ୍ବାଇରେ ଅଭ୍ୟାସ କରୁଥିଲେ । ତେବେ ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ ବଲ ବାଜିବାରୁ ରୋହିତ ଆହତ ହୋଇଥିଲେ ।ଯେଉଁଥିପାଇଁ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ଦିଆଯାଇଥିଲା । ଗତ କିଛି ଦିନ ପୂର୍ବେ ବିରାଟଙ୍କ ସ୍ଥାନରେ ରୋହିତଙ୍କୁ ଦିନିକିଆ ଦଳର ନୂଆ ଅଧିନାୟକ ଦାୟିତ୍ୱ ଦେଇଛି ବିସିସିଆଇ । ଏହାପୂର୍ବରୁ କୋହଲି ଟି-୨୦ ଅଧିନାୟକ ଭାର ଛାଡିବା ପରେ ଏହାର ଦାୟିତ୍ୱ ମଧ୍ୟ ରୋହିତଙ୍କୁ ଦେଇଥିଲା ବୋର୍ଡ ।