ପାରାଦୀପରୁ ଭୁବନେଶ୍ୱର ଆସିଲା ସନ୍ଦିଗ୍ଧ ପାରା: ଅଧିକ ଛାନଭିନ୍ ପାଇଁ ଫରେନସିକ୍ ଲ୍ୟାବକୁ ଆଣିଲେ ପାରାଦୀପ ମେରାଇନ ଥାନା ଟିମ

139

କନକ ବ୍ୟୁରୋ: ପାରାଦୀପରୁ ଭୁବନେଶ୍ୱର ଆସିଲା ସନ୍ଦିଗ୍ଧ ପାରା । ରାଜ୍ୟ ଫରେନ୍ସିକ ସାଇନ୍ସ ଲାବ୍ରୋଟରୀରେ ପହଂଚିଲା ଗୁପ୍ତଚର ପାରା । ପାରାଦୀପ ବନ୍ଦରରୁ ଧରାଯାଇଥିବା ଗୁପ୍ତଚର ପାରାକୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଫରେନ୍ସିକ ସାଇନ୍ସ ଲାବ୍ରୋଟରୀକୁ ଅଣାଯାଇଛି । ପାରାଦୀପ ସାମୁଦ୍ରିକ ଥାନାର ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗୁପ୍ତଚର ପାରାକୁ ଭୁବନେଶ୍ୱର ଆଣିଛନ୍ତି । ପାରାଟିର ଗୋଟିଏ ଗୋଡ଼ରେ କ୍ୟାମେରା ଓ ଅନ୍ୟ ଏକ ଗୋଡ଼ରେ ଚିପ୍ ଲାଗିଥିବାର ଦେଖିବାକୁ ମିଳିଛି । ଲାବରେ ପରିକ୍ଷା ନିରିକ୍ଷା ପରେ କେଉଁଠି ଆସିଛି ଗୁପ୍ତଚର ପାରା ତାହାର କାରଣ ଜଣାପଡ଼ିବ । ପାରାର ଡେଣାରେ କେଉଁ ଭାଷା ଲେଖା ଅଛି ତା’ର ତଦନ୍ତ ମଧ୍ୟ କରାଯିବ ।

ଗତ ମାର୍ଚ୍ଚ ୬ ତାରିଖରେ ସାରଥୀ ନାମକ ଏକ ମାଛଧରା ବୋଟ ପାରାଦୀପ ଠାରୁ ୪୨ ନଟିମାଇଲ ଦୂରରେ ମାଛ ଧରିବା ସମୟରେ ପାରାଟି ଉଡି ଉଡି ଆସି ବୋଟ ଉପରେ ବସିଥିଲା । ଧିବର ହାତରେ ପାରାଟି ଅତି ସହଜରେ ଧରାଦେଇଥିଲା । ପାରାର ଡେଣାରେ କିଛି ବିଦେଶୀ ଭାଷା ଲେଖାଯାଇଥିଲା ଓ ଗୋଟିଏ ଗୋଡ଼ରେ କ୍ୟାମେରା ଓ ଅନ୍ୟ ଏକ ଗୋଡ଼ରେ ଚିପ୍ ଲାଗିଥିବା ବେଳେ ଧୀବର ଏହା ଦେଖି ସନ୍ଦେହ ପ୍ରକାଶ କରିଥିଲେ । ପରେ ପାରାଦୀପ ସାମୁଦ୍ରିକ ଥାନାକୁ ଏନେଇ ସୂଚନା ଦେଇଥିଲେ । ମାର୍ଚ୍ଚ ୮ ତାରିଖରେ ପାରାଟିକୁ ସାମୁଦ୍ରିକ ଥାନାକୁ ହସ୍ତାନ୍ତର କରାଯାଇଥିଲା । ଆଜି ପାରାଟିକୁ ଷ୍ଟେଟ ଫରେନସିକ୍ ଲାବକୁ ଅଣାଯାଇଥିବା ବେଳେ ପାରାଟି କେଉଁଠୁ ଆସିଛି ତାହା ଜଣାପଡ଼ିବ ବୋଲି ଆଶାକରାଯାଉଛି ।