ସଂସଦରୁ ସତର୍କବାଣୀ ! କୁଳଭୂଷଣଙ୍କୁ ଫାଶୀ ମାମଲାରେ ପାକିସ୍ତାନକୁ ଚେତାବନୀ ଦେଲେ ସୁଷମା ସ୍ୱରାଜ

54

କନକ ବ୍ୟୁରୋ : ସଂସଦରୁ ସତର୍କବାଣୀ । ଇସଲାମାବାଦକୁ ଦିଲ୍ଲୀର ଚେତାବନୀ । ପାକିସ୍ତାନର ବର୍ବରତା ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ସଂସଦରୁ ପାକିସ୍ତାନକୁ ଯାଇଛି ଚରମବାଣୀ । ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଫାଶୀଦଣ୍ଡାଦେଶ ହେଲେ ଭୟାବହ ହେବ ପରିଣାମ । ଆଜି ସାଂସଦରେ ସତର୍କବାଣୀ ଶୁଣାଇଛନ୍ତି ବୈଦେଶୀକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ । କହିଛନ୍ତି, କୁଳଭୂଷଣଙ୍କୁ ନ୍ୟାୟ ଦେବାକୁ ଭାରତ, ଅନ୍ୟ ବାଟରେ ବି ଯାଇପାରେ ।

ସଡ଼କରୁ ସଂସଦ ସବୁଠି ଶୁଭିଛି ପାକିସ୍ତାନ ବିରୋଧୀ ସ୍ୱର । କୁଳଭୁଷଣଙ୍କ ସହ ଛିଡ଼ା ହୋଇଛି ପୁରା ଭାରତ । ପାକିସ୍ତାନର ନ୍ୟାୟବ୍ୟବସ୍ଥା ଉପରେ ସାଂସଦର ଉଭୟ ଗୃହରେ ସାଂସଦମାନେ ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ, ଏହାକୁ ଏକ ଯୋଜନାବଦ୍ଧ ହତ୍ୟାର ଉଦ୍ୟମ ବୋଲି କହିଛନ୍ତି । ଆଉ ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କ ସ୍ପଷ୍ଟ ମତ-ଏଥିପାଇଁ ଯାହାକିଛି ବି କରିବାକୁ ପଡ଼ିବ ଭାରତ ପଛଘୁଂଚା ଦେବ ନାହିଁ ।

ଭାରତର ଚରମବାଣୀ ପାକିସ୍ତାନକୁ ଘାଇଲା କରିଛି । ପ୍ରଧାନମନ୍ତ୍ରୀ ନୱାଜ ସରିଫ- ପାକସ୍ତାନକୁ ଏକ ଶାନ୍ତି ପ୍ରିୟ ଦେଶ ବୋଲି କହିଛନ୍ତି । କିନ୍ତୁ ମୁହଁରୁ ଟାଣ ଯାଇନି, ଭାରତର ଆଭିମୁଖ୍ୟ ଦେଖି ସରିଫ୍ କହିଛନ୍ତି- ପାକ୍ ସେନା ଭାରତର କୌଣସି ବି ଧମକ୍ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି । ଗୋଟିଏ ମୁହଁରେ ଦୁଇଟି କଥା କହୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମନୋଭାବ ଉଭୟ ପାକ୍ ଏବଂ ସେଠାକାର ରାଜନୈତକ ନେତୃତ୍ୱ ମୁଖା ଖୋଲି ଦେଉଛି ।

ପାକିସ୍ତାନର ଏହି ଦଣ୍ଡା ଦେଶକୁ ନେଇ ଉଠିଛି ଅନେକ ପ୍ରଶ୍ନ-ଯଦି କୁଳଭୂଷଣ ଗୁପ୍ତଥର ଥିଲେ ତାଙ୍କ ପାଖରେ କେମିତି ଥିଲା ଭାରତର ଏକ ଭେଲିଡ୍ ପାସ୍ପୋର୍ଟ । ଇରାନ୍ରେ ବ୍ୟବସାୟ କରୁଥିବା କୁଳଭୂଷଣ ର’ ଏଜେଂଟ୍ ହେଲେ କେମିତି? ଅନ୍ୟଦେଶରୁ ଅପହରଣ କରାଯାଇ କେମିତି ପାକିସ୍ତାନ କହିପାରୁଛି କୁଳଭୂଷଣ ଭାରତର ଗୁପ୍ତଚର ?