‘ମୋତେ ତ ମଜା ଲାଗିଲା’…ଚହଲଙ୍କ ସହ ଗତକାଲି ହେଇଥିବା ଲଢେଇକୁ ନେଇ ଏମିତି କହିଲେ ସୂର୍ଯ୍ୟକୁମାର ଯାଦବ । 

230

କନକ ବ୍ୟୁରୋ:  ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ନିଜର ପ୍ରଥମ ବିଜୟ ହାସଲ କରିସାରିଛି । ଗତକାଲି ଦଳ ରାଜସ୍ଥାନ ରୟାଲ୍ସକୁ ହରାଇ ଏହି ବିଜୟ ହାସଲ କରିଛି । ତେବେ ଗତକାଲି ମ୍ୟାଚ୍ ସମୟରେ ଦୁଇ ଦଳର ଖେଳାଳି ଭିତରେ ଏକ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । ସୂର୍ଯ୍ୟକୁମାର ଯାଦବ ଓ ୟୁଜବେନ୍ଦ୍ର ଚହଲ ମୁହାଁମୁହିଁ ହୋଇଥିଲେ । ହେଲେ ଏବେ ଏହି ମୁହାଁମୁହିଁ ହେବା କଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ସୂର୍ଯ୍ୟକୁମାର ଯାଦବ ।

ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଏହି ମୁହାଁମୁହିଁ ଘଟଣା ତାଙ୍କୁ ମଜା ଲାଗିଲା । ମ୍ୟାଚ୍ ସମୟରେ ମୁଁ ତାଙ୍କୁ କିଛି ବି କହିନଥିଲି । ଏହା କେବଳ ଏକ ଛୋଟ ଘଟଣା ଥିଲା । ଅମ୍ପାୟର୍ସ କଲ୍ କାରଣରୁ ମୁଁ ବଞ୍ଚିଗଲି ଆଉ ମ୍ୟାଚ୍ ମଧ୍ୟ ଆମ ସପକ୍ଷରେ ଗଲା । ତେବେ ଚହଲ ଜଣେ ଚମକ୍ରାର ବୋଲର, ମୋତେ ତାଙ୍କ ସହିତ ଲଢେଇ କରି ମଜା ଲାଗିଲା ବୋଲି ସୂର୍ଯ୍ୟକୁମାର ଯାଦବ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ମୁମ୍ବାଇ-ରାଜସ୍ଥାନ ମ୍ୟାଚ୍ ସମୟରେ ଏକ ଆଉଟ ଅପିଲକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଚହଲଙ୍କ ଏକ ବଲ ସୂର୍ଯ୍ୟକୁମାର ଯାଦବଙ୍କ ପ୍ୟାଡରେ ଯାଇ ବାଜିଥିଲା । ଆଉ ଚହଲ ଏହାକୁ ଆଉଟ୍ ଅପିଲ୍ କରିଥିଲେ । ହେଲେ ଅମ୍ପାୟାର ଏହାକୁ ନାକଚ କରିଦେଇଥିଲେ । ଏହାପରେ ତୁରନ୍ତ ଦଳ ପକ୍ଷରୁ ରିଭ୍ୟୁ ନିଆଯାଇଥିଲା, ଆଉ ଅଳ୍ପକେ ଆଉଟରୁ ବଞ୍ଚିଯାଇଥିଲେ ସୂର୍ଯ୍ୟ କୁମାର ଯାଦବ ।

ତେବେ ଏହି ଘଟଣା ପରେ ଚହଲଙ୍କ ମୁହଁରେ ରାଗ ଦେଖିବାକୁ ମିଳିଥିଲା । ଆଉ ଏହି ସମୟରେ ସୂର୍ଯ୍ୟକୁମାର ତାଙ୍କୁ ଯାଇ କୁଣ୍ଢାଇ ନେଇଥିଲେ । ହେଲେ ଚହଲ କୌଣସି ପ୍ରତିିକ୍ରିୟା ଦେଇନଥିଲେ ଆଉ ବିଲକୁଲ୍ ହଲିନଥିଲେ । ତେବେ ଗତକାଲି ଏହି ଘଟଣା ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ନିଜେ ସୂର୍ଯ୍ୟକୁମାର ଯାଦବ ।