ସୁରମା ପାଢୀ ହେବେ ବିଧାନସଭା ବାଚସ୍ପତି । ମେଣ୍ଟ ସରକାର ସମୟରେ ଥିଲେ ସମବାୟ ମନ୍ତ୍ରୀ, ଏବେ ବଡ ଦାୟିତ୍ୱ ଦେଇପାରେ ଦଳ । 

595

କନକ ବ୍ୟୁରୋ: ରଣପୁର ବିଧାୟିକା ସୁରମା ପାଢୀ ହେବେ ବିଧାନସଭାର ଆଗାମୀ ବାଚସ୍ପତି । ମୋହନ ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଏନେଇ ସୂଚନା ମିଳିଛି । ତେବେ ମୋହନ ମାଝୀଙ୍କ କ୍ୟାବିନେଟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଛାଡିଦେଲେ, ଅନ୍ୟ କୌଣସି ମହିଳା ଚେହେରାଙ୍କୁ ସ୍ଥାନ ମିଳିନି । ତେଣୁ ସୁରମା ପାଢୀଙ୍କୁ ଦଳ ବାଚସ୍ପତି ଆସନରେ ବସାଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ସୁରମା ପାଢୀ ହେଉଛନ୍ତି ରଣପୁରର ବିଧାୟିକା । ଗତ ୨୦୦୪ ମସିହାରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାର ଥିବା ସମୟରେ ସେ ସମବାୟ ମନ୍ତ୍ରୀ ଭାବେ ମଧ୍ୟ କାମ କରିଥିଲେ । ହେଲେ ଏହାପରଠୁ ସେ ଲଗାତାର ନିର୍ବାଚନରେ ପରାଜୟ ଭୋଗି ଆସୁଥିଲେ । ହେଲେ ଏବେ ସେ ପୁଣିଥରେ ବିଧାନସଭାକୁ ଆସିଥିବାରୁ, ତାଙ୍କୁ ବାଚସ୍ପତି ଆସନରେ ବସାଇବାକୁ ଦଳ ଚିନ୍ତା କରିଛି ।

ମିଳିଥିବା ସୂଚନା ମୁତାବକ, ସୁରମା ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେ ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୨୦୦୦ ମସିହାରେ ଏହି ପଦରେ ରହିଥିଲେ । ପରେ ୨୦୦୦ ମସିହାରେ ସେ ଜାତୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ ଏବଂ ୨୦୦୨ ମସିହା ଯାଏଁ ଏହି ପଦରେ କାର୍ଯ୍ୟ କରିଥିଲେ । ଏଥି ସହିତ ସେ ଭାରତୀୟ ଜନତା ପାର୍ଟିର ବିଭିନ୍ନ ପଦବୀରେ ରହି କାର୍ଯ୍ୟ କରିଥିଲେ ।