ଶାହାଙ୍କୁ କଡା ସ୍ୱରରେ ସମାଲୋଚନା କଲେ ସୁର ! କହିଲେ, ନୀଳ ଆକାଶରେ ପ୍ରଧାନମନ୍ତ୍ରୀ ଭାବେ ଦେଖାଯାଉଛି ରାହୁଲଙ୍କ ମୁହଁ ।

278

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଶାହାଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ସୁର ରାଉତରାୟ । କହିଛନ୍ତି ବିଜେପି ବିପର୍ଯ୍ୟୟ ଆଡକୁ ଯାଉଛି । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ବଡ ପରାଜୟ ପରେ ବିଜେପି ଛିନଛତ୍ର ହୋଇଯାଇଥିବା କହିଛନ୍ତି ସୁର । ସେ ଆହୁରି କହିଛନ୍ତି ଯେ, ଚାଷୀମାନଙ୍କ ପାଇଁ ଲଢୁଛି କଂଗ୍ରେସ । ନୀଳ ଆକାଶରେ ରାହୁଲଙ୍କ ମୁହଁ ପ୍ରଧାନମନ୍ତ୍ରୀ ଭାବେ ଦେଖାଯାଉଥିବା ସୁର କହିଛନ୍ତି ।

ଓଡିଶାରେ କଂଗ୍ରେସ ଏକ ହୋଇ ରହିଥିବା ସେ କହିଛନ୍ତି । ଓଡିଶାରେ ମଧ୍ୟ କଂଗ୍ରେସ ତାର ପତିଆରା ଜାହିର କରିବ ବୋଲି ସୁର ଦମ୍ଭୋକ୍ତି ବାଢିଛନ୍ତି । ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରଥମ ସ୍ଥାନରେ, ବିଜେଡି ଦ୍ୱିତୀୟ ସ୍ଥାନରେ ଏବଂ ବିଜେପି ତୃତୀୟ ସ୍ଥାନରେ ରହିବ ବୋଲି ସୁର କହିଛନ୍ତି । ସେହିପରି ମୋଦିଙ୍କ ଓଡିଶାଗସ୍ତକୁ ନେଇ ମଧ୍ୟ ସେ ବିଜେପି ଉପରେ ବର୍ଷିଛନ୍ତି । କହିଛନ୍ତି ରାସ୍ତାଟିଏ କରିଦେଲେ କିମ୍ବା ସ୍କୁଲ ଉଦଘାଟନ କରିଦେଲେ ଜନସମର୍ଥନ ମିଳେନାହିଁ । ଓଡିଶାରେ ଚଳିତ ନିର୍ବାଚନରେ କଂଗ୍ରେସ ସରକାର ଗଢିବା ନିଶ୍ଚିନ୍ତ ବୋଲି ସୁର ଦୃଢୋକ୍ତିର ସହ କହିଛନ୍ତି ।