ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କୋର୍ଟ କହିଲେ, ମୃତ୍ୟୁଶଯ୍ୟାରେ ବି ମିଛ କହିପାରେ ଜଣେ ବ୍ୟକ୍ତି

623

କନକ ବ୍ୟୁରୋ : ଆମ ଭିତରେ ଧାରଣା ରହିଛି, ଜଣେ ଲୋକ ମୃତ୍ୟୁ ପୂର୍ବରୁ ମିଛ କହି ନଥାଏ । କୁହାଯାଏ, ଯିଏ ମରିବାକୁ ଯାଉଛି, ଶେଷ ସମୟରେ ସେ ମିଛ କହିବ ବା କାହିଁକି । ଆଉ ସେ ଦେଉଥିବା ବୟାନ ବା ମୃତ୍ୟୁ କାଳୀନ ଜମାନବନ୍ଦୀ ମିଛ ହୋଇନଥାଏ । ଅର୍ଥାତ ସତ କହିଥାଏ । ଆଉ ସେହି ମୃତ୍ୟୁକାଳୀନ ଜମାନବନ୍ଦୀଙ୍କୁ ଆଧାର କରି କୋର୍ଟ ଦଣ୍ଡବିଧାନ କରିଥାନ୍ତି । ହେଲେ ଏବେ ମୃତ୍ୟୁକାଳିନୀ ଜମାନବନ୍ଦୀକୁ ନେଇ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ବଡ ରାୟ ଦେଇଛନ୍ତି ।
ଖଣ୍ଡପୀଠ କହିଛନ୍ତି, ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ପାଇଁ କେବଳ ପୀଡିତଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ମୁଖ୍ୟ ଆଧାର କରାଯାଇ ପାରିବ ନାହିଁ । ବିଶେଷକରି ବୟାନର ସଠିକତା ସମ୍ପର୍କରେ ପ୍ରଶ୍ନ ଉଠିଲେ କିମ୍ବା ସନ୍ଦେହ ଉପୁଜିଲେ, ତାହାକୁ ଏକମାତ୍ର ଜମାନବନ୍ଦୀ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ମୃତ୍ୟୁକାଳୀନ ଜମାନବନ୍ଦୀକୁ ଆଧାର କରିବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ । ମୃତ୍ୟୁ ଶଯ୍ୟାରେ ଥିବା ଜଣେ ବ୍ୟକ୍ତି ମିଛ କହିବ ନାହିଁ ବୋଲି ଧରିନେବା ଉଚିତ୍ ନୁହେଁ । ତେଣୁ ମୃତ୍ୟୁକାଳୀନ ଜମାନବନ୍ଦୀକୁ ସତ ବୋଲି ଧରିନେବା ସମୟରେ ତାହା ସମ୍ପୂର୍ଣ୍ଣ ଭାବେ ବିଶ୍ୱାସଯୋଗ୍ୟ ହେବା ଉଚିତ୍ । ଯଦି ସତ୍ୟତାକୁ ନେଇ କୌଣସି ସନ୍ଦେହ ହୁଏ, ତାହେଲେ ତାହାକୁ କେବଳ ଏକ ପ୍ରମାଣ ଭାବେ ଗ୍ରହଣ କରାଯିବ । କିନ୍ତୁ ଦୋଷୀ ସାବ୍ୟସ୍ତ ପାଇଁ, ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ ଏକମାତ୍ର ଭିତି ହୋଇପାରିବ ନାହିଁ । ମୃତ୍ରୁକାଳୀନ ଜମାନବନ୍ଦୀ କେବଳ ସେତିକି ବେଳେ ଗ୍ରହଣ କରାଯାଇପାରିବ ଯେତେବେଳେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ମାନସିକ, ସ୍ତରରେ ଠିକ୍ ଅଛି ।
ବିଚାରପତି ବିଆର ଗୱାଇ, ଜେବି ପାର୍ଦିୱାଲ , ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଟିପ୍ପଣୀ ହେଉଛନ୍ତି । ୨୦୧୪ ମସିହାରେ ତିନି ଜଣଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏବଂ ଆଜୀବନ ଜେଲ ଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ । ୨୦୧୪ରେ ଇରଫାନ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ଇସଲାମୁଦ୍ଦିନ ଏବଂ ଦୁଇ ଭାଇ ଇରସାଦ ଓ ନୈସାଦଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତକ ମୃତ୍ୟୁକାଳୀନ ଜମାନବନ୍ଦୀରେ ଇରଫାନଙ୍କ ନାଁ ନେଇଥିବାରୁ ତାଙ୍କୁ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହ କୋର୍ଟ ଦଣ୍ଡବିଧାନ କରିଥିଲେ । ସେ ଗତ ୮ବର୍ଷ ହେଲା ଜେଲରେ ଅଛନ୍ତି । ସେହି ରାୟକୁ ଆହ୍ଲାବାଦ ହାଇକୋର୍ଟ ମଧ୍ୟ କାଏମ ରଖିଥିଲେ । କିନ୍ତୁ ସୁପ୍ରିମକୋର୍ଟ ତଳ କୋର୍ଟର ରାୟକୁ ଗ୍ରହଣ କରିପାରି ନାହାନ୍ତି । ୮୦ ପ୍ରତିଶତ ପୋଡିଯାଇଥିବାରୁ ପୀଡିତଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଦର୍ଶାଇଥିଲେ ଇରଫାନଙ୍କ ଓକିଲ । ସୁପ୍ରିମକୋର୍ଟଙ୍କ ରାୟ ଏବେ ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।