ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିବ ASI ସର୍ଭେ । ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । 

113

କନକ ବ୍ୟୁରୋ: ବାରଣାସୀ ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିବ ଏଏସଆଇ ସର୍ଭେ । ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷଙ୍କ ଆବେଦନକୁ ଆଜି ଖାରଜ କରିଦେଇଛନ୍ତି । ଏଥିସହିତ ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଏଏସଆଇର ବୈଜ୍ଞାନିକ ସର୍ଭେ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ତେବେ ଏହି ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏହା ସମ୍ପର୍କରେ ଗମ୍ଭୀର ଟିପ୍ପଣୀ ଦେଇଛନ୍ତି ।

ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ଆଲ୍ଲାବାଦ୍ ହାଇକୋର୍ଟଙ୍କ ଆଦେଶରେ ସୁପ୍ରିମକୋର୍ଟ କାହିଁକି ଦଖଲ ଦେବେ? ହାଇକୋର୍ଟରେ ଏଏସଆଇ ସତ୍ୟପାଠ ଦାଖଲ କରିଛି ଯେ, ସର୍ଭେ ସମୟରେ ଏଏସଆଇ କୌଣସି ଖୋଳାଖୋଳି କରିବ ନାହିଁ । ଏହାସହ କାନ୍ଥରେ ମଧ୍ୟ କୌଣସି କ୍ଷତି ପହଞ୍ଚାଇବନି । ତେଣୁ ଏଏସଆଇର ସର୍ଭେ ହେଲେ ଅସୁବିଧା କଣ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏଥିସହିତ ଏଏସଆଇ ସର୍ଭେ କରିବା ସହିତ ବନ୍ଦ ଲଫାପାରେ ରିପୋର୍ଟ ଦେବାକୁ କୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ ଆଲ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଦୋହରାଇବା ସହିତ କହିଛନ୍ତି ଯେ, ମସଜିଦ୍ ପରିସରରେ କୌଣସି ଖୋଳାଖୋଳି ହେବନି । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଜେବି ପାରଦୀବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏହି ମାମଲାର ବିଚାର ସମୟରେ କୋର୍ଟ ଆଲ୍ଲାବାଦ୍ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଛନ୍ତି ।