ମୁଁ ବଞ୍ଚିବାକୁ ଚାହେଁ ! ରକ୍ତ କର୍କଟ ସହ ଲଢ଼ୁଛି ୧୦ ବର୍ଷର କୁନି ଝିଅ ସରିଫା, ଆପଣଙ୍କ ସହାୟତା କୁନି ଝିଅକୁ ଦେବ ନୂଆ ଜୀବନ

113

କନକ ବ୍ୟୁରୋ : ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଠାରୁ ମାତ୍ର ୧.୫ ଲକ୍ଷ ଟଙ୍କାର ଆଶା । ପୁରୀ ଶ୍ରୀମନ୍ଦିରର ଦାନବାକ୍ସରେ ପଡ଼ୁଥିବା ପ୍ରତ୍ୟେକ ଦିନର ଦାନ ଅର୍ଥ ଠାରୁ ମଧ୍ୟ କମ ଟଙ୍କା ସେ ଆଶା କରୁଛନ୍ତି । ଆଉ ସେ ଆଶା କେବଳ ବଞ୍ଚିବା ପାଇଁ । ମୃତ୍ୟୁର ପଞ୍ଝା କୁହାଯାଉଥିବା କ୍ୟାନସର ରୋଗରୁ ନୂଆ ଜୀବନ ଫେରି ପାଇବାର ଆଶା । କିନ୍ତୁ ଏହି ଆଶା ଅଟକିଯାଇଛି ସେହି ଟଙ୍କା ପାଖରେ । ଆଉ ଏଥିପାଇଁ ଦୀର୍ଘ ଦିନ ଧରି ଜୀବନ ସହ ଲଢ଼ୁଥିବା ୧୦ ବର୍ଷର କୁନି ଝିଅ ଏବେ ଆପଣଙ୍କ ସାହାଯ୍ୟ ବାଟକୁ ଅନେଇ ବସିଛି । ଆପଣ ଥରେ ମନ ଖୋଲିଦେଲେ କୁନି ଝିଅଟି ଜୀବନ ସାରା ମନଭରି ହସିପାରିବ । କାରଣ ମୃତ୍ୟୁର ପଞ୍ଝା ମଧ୍ୟରୁ ବାହାରିବା ପାଇଁ କେବଳ ଗୋଟିଏ ପାହାଚ ଆଉ ବାକି ଅଛି । ଆଉ ସେହି ପାହାଚକୁ କିନ୍ତୁ ଟଙ୍କା ରୂପି ରାକ୍ଷସ ବନ୍ଦ କରି ରଖିଛି । ଆଉ ସେହି ପାହାଚ ଡ଼େଇଁ ନୂଆ ଜୀବନ ଜିଇଁବାକୁ ଆଶା ରଖିଛି ଗଞ୍ଜାମର ୧୦ ବର୍ଷୀୟ କୁନି ଝିଅ ସରିଫା ପାତ୍ର ।


ଗଞ୍ଜାମ ଜିଲ୍ଲାର ୧୦ ବର୍ଷୀୟ କୁନି ଝିଅ ସରିଫା ପାତ୍ର । ଦୁନିଆର ସବୁଠାରୁ ମାରାତ୍ମକ ରୋଗ କୁହାଯାଉଥିବା ରକ୍ତ କର୍କଟରେ ପୀଡ଼ିତ ଏହି କୁନି ଝିଅ । ଜୀବନକୁ ଠିକ୍ ଭାବେ ବଞ୍ଚିବା ଶିଖିବା ଆଗରୁ  ମୃତ୍ୟୁର ଦୂତ ଆସି ଦ୍ୱାର ଠକ୍ ଠକ୍ କରିବା ଆରମ୍ଭ କରିଛି । କିନ୍ତୁ ଏସବୁ ଭିତରେ ବଞ୍ଚିବାର ଆଶା ହାରିନି ଏହି କୁନି ଝିଅ । ଭୁବନେଶ୍ୱରର ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସରିଫା ଚିିକିତ୍ସା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ଆବଶ୍ୟକୀୟ ଟଙ୍କା ନଥିବାରୁ ଚିକିତ୍ସା ହୋଇପାରୁନାହିଁ । ଏପରିକି ଭୁବନେଶ୍ୱରର କ୍ୟାନସର ପୀଡ଼ିତଙ୍କୁ ସହାୟତା କରୁଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ଉମିଦ ଏବେ ସରିଫା ପାଇଁ ଟଙ୍କା ଯୋଗାଡ଼ କରିବାକୁ କ୍ୟାମ୍ପେନ ଆରମ୍ଭ କରିଛି । କିନ୍ତୁ ଏବେ ମଧ୍ୟ ବିଳମ୍ବ ହୋଇନାହିଁ ଆପଣଙ୍କ ସହାୟତା ଗୋଟିଏ ଗରିବ କୁନି ଝିଅର ଜୀବନରେ ପୁଣିଥରେ ହସ ଫୁଟାଇପାରିବ ।