ଅସହ୍ୟ ଗରମ ଯୋଗୁଁ ବଢିଲା ଗ୍ରୀଷ୍ମ ଛୁଟି ଅବଧି : ଆହୁରି ୨ ଦିନ ବଢ଼ିଲା ଖରା ଛୁଟି

2,834

କନକ ବ୍ୟୁରୋ : ଖରାଛୁଟିକୁ ଆଉ ଦୁଇ ଦିନ ବଢ଼ାଇଛନ୍ତି ରାଜ୍ୟ ସରକାର । ଆସନ୍ତା ୧୯ ତାରିଖରେ ସ୍କୁଲ ଖୋଲିଥାନ୍ତା, ଏହା ଏବେ ୨୧ ତାରିଖରେ ଖୋଲିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଜୁନ ୨୧ରୁ ଖୋଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆ ଯାଇଥିବା କୁହାଯାଉଛି । ରବିବାର ପର୍ଯ୍ୟନ୍ତ ଖରାଛୁଟି ଥିଲା । ଯଦି ସୋମବାର ଦିନ ସ୍କୁଲ ଖୋଲିଥାନ୍ତା, ତେବେ ମଙ୍ଗଳବାର ରଥଯାତ୍ରା ଥିବାରୁ ସ୍କୁଲ ବନ୍ଦ ରହିଥାନ୍ତା ।

ଏପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରିଦେଇଛି । ତେଣୁ ଖରାଛୁଟିକୁ ୨ ଦିନ ଘୁଂଚାଇ ଦିଆଯାଇଛି । ଯଦି ତାତି ନ କମେ, ତେବେ ଖରାଛୁଟି ଆହୁରି ବଢ଼ିବା ସମ୍ଭାବନା ରହିଛି । ପୂର୍ବରୁ ମେ ୬ ତାରିଖରେ ଗ୍ରୀଷ୍ମ ଛୁଠି ଘୋଷଣା କରିବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଗ୍ରୀଷ୍ମପ୍ରବାହକୁ ଆଖିରେ ରଖି ଅପ୍ରେଲ ୨୨ ତାରିଖରୁ ଖରାଛୁଟି ଘୋଷଣା କରାଯାଇଥିଲା । ଜୁନ ୧୯ରେ ସ୍କୁଲ ଖୋଲିବ ବୋଲି ପୂର୍ବରୁ ତାରିଖ ଧାର୍ଯ୍ୟ ହୋଇଥିଲେ ବି ଅସହ୍ୟ ତାତିକୁ ଆଖିରେ ରଖି ଖରା ଛୁଟିକୁ ଆହୁରି ଦୁଇ ଦିନ ବଢାଇ ଦିଆଯାଇଛି ।